ରାଉରକେଲା,22//10,(ଉତ୍କଳ ସମାଚାର)ସମ୍ବାଦଦାତା। ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତବାର୍ଷିକୀର ପବିତ୍ର ଅବସରରେ ଗୋପବନ୍ଧୁପାଲ୍ଲୀସ୍ଥିତ ମା’ ବୈଷ୍ଣୋଦେବୀ ମନ୍ଦିର ପରିସରରେ ଆସନ୍ତା ୨୪ ଓ ୨୫ ଅକ୍ଟୋବର ୨୦୨୬ରେ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଦୁଇଦିନିଆ ଧାର୍ମିକ ଆୟୋଜନରେ କଳସ ଶୋଭାଯାତ୍ରା, ଦୀପ ପ୍ରଜ୍ୱଳନ, ପ୍ରଜ୍ଞା ହବନ ଏବଂ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ।ଆସନ୍ତା ୨୪ ଅକ୍ଟୋବର, ଶନିବାର ସକାଳ ୮ଟାରେ ଭବ୍ୟ କଳସ ଶୋଭାଯାତ୍ରା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏହି ଶୋଭାଯାତ୍ରା ମାଲଗୋଦାମସ୍ଥିତ କାଳୀ ମନ୍ଦିରରୁ ବାହାରି ରେଳବାଇ କଲୋନୀର ମଧ୍ୟମ ରାସ୍ତା ଦେଇ ମା’ ବୈଷ୍ଣୋଦେବୀ ମନ୍ଦିର ପରିସରରେ ପହଞ୍ଚିବ। ଶୋଭାଯାତ୍ରା ମାଧ୍ୟମରେ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଯିବ। ସେହିଦିନ ସନ୍ଧ୍ୟାରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହେବ।ସେହିପରି ୨୫ ଅକ୍ଟୋବର, ରବିବାର ସକାଳ ୯ଟାରେ ପ୍ରଜ୍ଞା ହବନ ଓ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ଯଜ୍ଞ ମାଧ୍ୟମରେ ବିଶ୍ୱକଲ୍ୟାଣ, ମାନବ ଜୀବନରେ ସଦ୍ବୁଦ୍ଧି, ସୁଖଶାନ୍ତି, ସଦ୍ଭାବନା ଓ ଜନମଙ୍ଗଳ କାମନା କରାଯିବ। ଆଧ୍ୟାତ୍ମିକ ଜାଗରଣ ସହ ସମାଜରେ ନୈତିକ ମୂଲ୍ୟବୋଧ, ସଂସ୍କାର ଓ ଭାରତୀୟ ସଂସ୍କୃତି ପ୍ରତି ସଚେତନତା ବୃଦ୍ଧି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।ଆୟୋଜକଙ୍କ ପକ୍ଷରୁ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ, ଗାୟତ୍ରୀ ପରିଜନ ଓ ଧର୍ମପ୍ରେମୀ ନାଗରିକଙ୍କୁ ଏହି ପବିତ୍ର ଆୟୋଜନରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରାଯାଇଛି। ପରିବାର ଓ ପରିଚିତଙ୍କ ସହ ଉପସ୍ଥିତ ରହି ମହାଯଜ୍ଞକୁ ସଫଳ କରିବା ସହ ଆଧ୍ୟାତ୍ମିକ ପରିବେଶର ଲାଭ ଉଠାଇବାକୁ ଆୟୋଜକମାନେ ଅନୁରୋଧ କରିଛନ୍ତି।

