ସମ୍ବଲପୁର,୨୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଗୁରୁବାର ମଣ୍ଡଳର ସମସ୍ତ ରେଳ ଷ୍ଟେସନରେ ‘ରେଳ ଜନ ସଂବାଦ’ ଆୟୋଜିତ ହୋଇଥିଲା। ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା, ସେମାନଙ୍କ ମତାମତ ଜାଣିବା ଏବଂ ରେଳ ସେବାର ଗୁଣବତ୍ତା ବଢ଼ାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।ଯାତ୍ରୀମାନେ ଷ୍ଟେସନରେ ଉପଲବ୍ଧ ସୁବିଧା, ଷ୍ଟେସନ ଓ ଟ୍ରେନର ପରିଚ୍ଛନ୍ନତା, ସୁରକ୍ଷା ବ୍ୟବସ୍ଥା ଏବଂ ସାମଗ୍ରିକ ରେଳ ସେବା ବିଷୟରେ ନିଜ ଅନୁଭୂତି, ପରାମର୍ଶ ଓ ମତାମତ ରଖିଥିଲେ। ଏହାଦ୍ୱାରା ଯାତ୍ରୀମାନେ ରେଳ ଅଧିକାରୀଙ୍କ ସହ ସିଧାସଳଖ କଥା ହୋଇ ସେବାରେ ଉନ୍ନତି ଆବଶ୍ୟକ କରୁଥିବା ଦିଗଗୁଡ଼ିକ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ।ସମ୍ବଲପୁର ରେଳ ଷ୍ଟେସନରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କ ସହ ଆଲୋଚନା କରିଥିଲେ। ଷ୍ଟେସନର ପରିଚ୍ଛନ୍ନତା, ଏସ୍କାଲେଟର୍ ସୁବିଧା, ଟ୍ରେନରେ ଖାଦ୍ୟ ଯୋଗାଣ ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସେ ମତାମତ ସଂଗ୍ରହ କରିଥିଲେ।ଯାତ୍ରୀଙ୍କ ମତାମତ ରେଳ ସେବାର ତ୍ରୁଟି ଓ ଅଭାବ ଚିହ୍ନଟ କରିବା ସହ ଏହାର ମାନ ବୃଦ୍ଧିରେ ସହାୟକ ହୁଏ ବୋଲି ଶ୍ରୀ ଚୌଧରୀ କହିଥିଲେ। ଆଲୋଚନାରୁ ମିଳିଥିବା ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ଯାତ୍ରୀ ସୁବିଧା ଓ ସେବାର ମାନ ଉନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।କାର୍ଯ୍ୟକ୍ରମକୁ ଯାତ୍ରୀମାନଙ୍କଠାରୁ ଉତ୍ସାହଜନକ ସମର୍ଥନ ମିଳିଥିଲା। ରେଳ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ମତାମତ ରଖିବାର ସୁଯୋଗକୁ ସେମାନେ ପ୍ରଶଂସା କରିଥିଲେ। ଏଭଳି ପଦକ୍ଷେପ ରେଳପଥ ଓ ଯାତ୍ରୀଙ୍କ ମଧ୍ୟରେ ଯୋଗାଯୋଗ, ସ୍ୱଚ୍ଛତା ଓ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ସହ ଯାତ୍ରୀକୈନ୍ଦ୍ରିକ ସେବାକୁ ପ୍ରୋତ୍ସାହିତ କରିବ ବୋଲି ମଣ୍ଡଳ ପକ୍ଷରୁ କୁହାଯାଇଛି।

