ନବରଙ୍ଗପୁର,24//10:(ଉତ୍କଳ ସମାଚାର)ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା, ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ନିମନ୍ତେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆଭାସୀ ମାଧ୍ୟମରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ସମସ୍ତ ବିଭାଗ, ବ୍ଲକ୍ ପ୍ରଶାସନ ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ସମନ୍ୱିତ ଭାବେ ଆଗୁଆ ପ୍ରସ୍ତୁତି ଗ୍ରହଣ କରିବା ସହ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ପାଣିପାଗ ସମ୍ବନ୍ଧୀୟ ସତର୍କ ସୂଚନା ଜନସାଧାରଣଙ୍କ ନିକଟରେ ସମୟୋପଯୋଗୀ ଭାବେ ପହଞ୍ଚାଇବା ପାଇଁ ମାଇକ୍ ଯୋଗେ ପ୍ରଚାର କରିବା ଏବଂ ପାଣିପାଗ ପରିସ୍ଥିତି ଓ ଆଗୁଆ ପ୍ରସ୍ତୁତି ସମ୍ପର୍କରେ ପଞ୍ଚାୟତିରାଜ ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ ସହ ବୈଠକ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।ଭାରତୀୟ ପାଣିପାଗ ବିଭାଗ ଏବଂ କେନ୍ଦ୍ରୀୟ ବନ୍ୟା ପୂର୍ବାନୁମାନ ବିଭାଗ, ଭୁବନେଶ୍ୱର ପକ୍ଷରୁ ଜାରି ପାଣିପାଗ ରିପୋର୍ଟ, ସତର୍କ ସୂଚନା ଓ ବନ୍ୟା ବୁଲେଟିନ୍କୁ ସମ୍ପୃକ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ନିକଟରେ ତ୍ୱରିତ ପହଞ୍ଚାଇବା ସହ ବର୍ଷାର ନିୟମିତ ରେକର୍ଡ ରଖିବା ଏବଂ ସମୟାନୁସାରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ହେଲ୍ପଲାଇନ୍ ନମ୍ବର ଓ ରୋଷ୍ଟର ଡ୍ୟୁଟି ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ସହ ପ୍ରତ୍ୟେକ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ, ହେଲ୍ପଲାଇନ୍ ନମ୍ବର ନିର୍ଦ୍ଧାରଣ ଏବଂ ରୋଷ୍ଟର ଡ୍ୟୁଟି ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ପର୍ଯ୍ୟାପ୍ତ ପ୍ରଶିକ୍ଷିତ କର୍ମଚାରୀ ଓ ଆବଶ୍ୟକୀୟ ଯୋଗାଯୋଗ ଉପକରଣ ସହ ନିୟନ୍ତ୍ରଣ କକ୍ଷଗୁଡ଼ିକୁ ସକ୍ରିୟ ରଖିବା, ସମସ୍ତ ଉପକରଣ ଯାଞ୍ଚ କରିବା ଏବଂ ନିୟୋଜିତ କର୍ମଚାରୀଙ୍କ ଦାୟିତ୍ୱ ସ୍ପଷ୍ଟ କରିବା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।ବର୍ଷାଜଳ ନିଷ୍କାସନ ସୁନିଶ୍ଚିତ କରିବା ପାଇଁ ନାଳ ଓ ନର୍ଦ୍ଦମାଗୁଡ଼ିକୁ ଆଗୁଆ ସଫା କରିବା ଏବଂ ଆବଶ୍ୟକ ସ୍ଥଳେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ବର୍ଷା କିମ୍ବା ବନ୍ୟାଜଳରେ ବୁଡ଼ି ରହିଥିବା ଏବଂ ଜଳପ୍ରବାହ ଯୋଗୁଁ ବିପଦସଙ୍କୁଳ ହୋଇଥିବା ରାସ୍ତା, ପୋଲ ଓ କଲଭର୍ଟଗୁଡ଼ିକର ଉଭୟ ପାର୍ଶ୍ୱରେ ଅସ୍ଥାୟୀ ବ୍ୟାରିକେଡ୍ ଓ ସତର୍କ ସୂଚନା ଫଳକ ଲଗାଇ ଯାତାୟାତ ନିୟନ୍ତ୍ରଣ କରିବାକୁ କୁହାଯାଇଥିଲା।ଭୂସ୍ଖଳନ ଓ ମାଟି ଅତଡ଼ା ଖସିବାର ସମ୍ଭାବନା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଆଗୁଆ ସତର୍କତା ଜାରିକରିବା ସହ ବିପଦସଙ୍କୁଳ ଗଛଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ଅଗ୍ନିଶମ ବାହିନୀ ମାଧ୍ୟମରେ ହଟାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ଦେବା ପାଇଁ ଚିହ୍ନଟ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇ ସମସ୍ତ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଡିଜି ସେଟ୍, ଶୁଖିଲା ଖାଦ୍ୟ ସାମଗ୍ରୀ, ରୋଷେଇ ପାଇଁ ଗ୍ୟାସ୍ ଏବଂ ଆବଶ୍ୟକ ଔଷଧର ପର୍ଯ୍ୟାପ୍ତ ମହଜୁଦ ସୁନିଶ୍ଚିତ କରିବା ସହ ଆଶ୍ରୟସ୍ଥଳୀ ପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଥିଲା।ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ କରିବା ପାଇଁ ଯାନବାହନ ଚିହ୍ନଟ ଓ ଟ୍ୟାଗିଂ କରିବା, ପ୍ରତ୍ୟେକ ଗ୍ରାମ ଓ ଗ୍ରାମ ପଞ୍ଚାୟତ ପାଇଁ ସ୍ଥାନାନ୍ତରଣ ଦାୟିତ୍ୱରେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବା ଏବଂ ପ୍ରତ୍ୟେକ ଆଶ୍ରୟସ୍ଥଳୀ ପାଇଁ ଜଣେ ନୋଡାଲ ଅଧିକାରୀ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବଶ୍ୟକତା ଅନୁଯାୟୀ ODRAF ଓ NDRF ଦଳ ସହ ଅଗ୍ନିଶମ ବାହିନୀର ସହାୟତା ନେବା ପାଇଁ ଆଗୁଆ ଯୋଜନା କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସେମାନଙ୍କୁ ତ୍ୱରିତ ନିୟୋଜନ ପାଇଁ ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା।ତ୍ୱରିତ ସୂଚନା ଆଦାନପ୍ରଦାନ ଓ ସମନ୍ୱୟ ପାଇଁ ପ୍ରତ୍ୟେକ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧି ଏବଂ ସମ୍ପୃକ୍ତ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ପୃଥକ୍ WhatsApp ଗ୍ରୁପ୍ ଗଠନ କରିବାକୁ କୁହାଯାଇଥିଲା। ପ୍ରତ୍ୟେକ ବ୍ଲକ୍ ପାଇଁ ଜଣେ ବରିଷ୍ଠ ନୋଡାଲ ଅଧିକାରୀ ନିଯୁକ୍ତି କରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ କାର୍ଯ୍ୟର ତଦାରଖ ସୁନିଶ୍ଚିତ କରିବା ସହ ଜରୁରୀକାଳୀନ ଚିଠିପତ୍ର ଓ ଯୋଗାଯୋଗ କାର୍ଯ୍ୟ ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।ସମ୍ଭାବ୍ୟ ପ୍ରସବ ତାରିଖ ଆଗାମୀ ତିନି ସପ୍ତାହ ମଧ୍ୟରେ ଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରି ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଗୁଆ ସ୍ଥାନାନ୍ତରଣ କରିବା ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀ (CSO)ଙ୍କୁ ପର୍ଯ୍ୟାପ୍ତ ରାସନ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ନାଗରିକ ସମାଜ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟାନ୍ୟ ସଂଗଠନର ସହଯୋଗ ନେବା ସହ ପ୍ରଭାବିତ ଲୋକଙ୍କୁ ମାନବିକ ଦୃଷ୍ଟିକୋଣରୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜରୁରୀକାଳୀନ କାର୍ଯ୍ୟରେ ସମସ୍ତ ଅଧିକାରୀଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କ ଛୁଟି ବାତିଲ କରିବା ସହ ଆବଶ୍ୟକ ସ୍ଥଳେ ଲକ୍ଷ୍ମୀ ବସ୍କୁ ଲୋକଙ୍କ ସ୍ଥାନାନ୍ତରଣ କାର୍ଯ୍ୟରେ ନିୟୋଜନ ପାଇଁ ଆବଶ୍ୟକ ଅନୁମତି ଓ ସମନ୍ୱୟ ବ୍ୟବସ୍ଥା କରିବାକୁ କୁହାଯାଇଥିଲା।ଜିଲ୍ଲାପାଳ ସମସ୍ତ ବିଭାଗ, ବ୍ଲକ୍ ପ୍ରଶାସନ ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ନିଜ ନିଜ ଦାୟିତ୍ୱ ଅନୁଯାୟୀ ଆଗୁଆ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା, ନିୟମିତ ସୂଚନା ଆଦାନପ୍ରଦାନ କରିବା ଏବଂ ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

