ସମ୍ବଲପୁର,୨୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ଭିତ୍ତିଭୂମିର ସୁରକ୍ଷା, ଉପଭୋକ୍ତାଙ୍କ ନିରାପତ୍ତା ଏବଂ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ ଶୀଘ୍ର ପୁନରୁଦ୍ଧାର ପାଇଁ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ଏହାର ବ୍ୟବସାୟିକ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସକ୍ରିୟ କରିଛି। କର୍ମଚାରୀ, ଜରୁରୀ ଉପକରଣ ଓ ଆବଶ୍ୟକ ସାମଗ୍ରୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।ପ୍ରତିକୂଳ ପାଗରେ ବିଦ୍ୟୁତ୍ ନେଟୱର୍କ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ୮,୬୫୮ ଜଣ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ଏଥିରେ ୭,୬୭୫ ଜଣ ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତିଭିତ୍ତିକ (ଏଏମ୍ସି) କର୍ମଚାରୀ ଏବଂ ଟିପିଡବ୍ଲୁଓଡିଏଲ୍ର ୯୮୩ ଜଣ କର୍ମଚାରୀ ଅଛନ୍ତି। ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର ପାଇଁ ଅତିରିକ୍ତ ୯୭୩ ଜଣ ଦକ୍ଷ ଓ ଅଣଦକ୍ଷ ପ୍ରକଳ୍ପ କର୍ମଚାରୀଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସମ୍ଭାବ୍ୟ ପ୍ରଭାବିତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ଉଦ୍ଧାର ଓ ପୁନରୁଦ୍ଧାର ଦଳ ମୁତୟନ କରାଯାଇଛି।ଜରୁରୀ ପରିସ୍ଥିତିରେ ବିଦ୍ୟୁତ୍ ସରବରାହ ଶୀଘ୍ର ସ୍ୱାଭାବିକ କରିବାକୁ ୮ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍ଷ୍ଟେସନ୍, ୧୭ଟି ଡିଜେଲ୍ ଜେନେରେଟର୍ ସେଟ୍, ଗଛର ଡାଳ କାଟିବା ପାଇଁ ୬୨୬ଟି ହାତଚାଳିତ ଓ ମୋଟରଚାଳିତ ଉପକରଣ ଏବଂ ୩୨୪ଟି ଯାନ ପ୍ରସ୍ତୁତ ରଖାଯାଇଛି। ଏଥିସହ ୬୨୧ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର, ୧୦ଟି ପାୱାର୍ ଟ୍ରାନ୍ସଫର୍ମର, ୧୦,୯୫୦ଟି ବିଦ୍ୟୁତ୍ ଖୁଣ୍ଟି ଏବଂ ଆବଶ୍ୟକ ପରିମାଣର ତାର, କେବୁଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିଛି।ବୁର୍ଲାସ୍ଥିତ କେନ୍ଦ୍ରୀୟ ପାୱାର୍ ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟର୍ (ପିଏସ୍ସିସି) ୨୪ ଘଣ୍ଟା ବିଦ୍ୟୁତ୍ ନେଟୱର୍କ ଉପରେ ନଜର ରଖିବା ସହ ଜରୁରୀ ପଦକ୍ଷେପର ସମନ୍ୱୟ କରିବ। ବଲାଙ୍ଗୀର ଓ କଳାହାଣ୍ଡିର ଆଞ୍ଚଳିକ ନିୟନ୍ତ୍ରଣ କେନ୍ଦ୍ର ଏବଂ ବିଭାଗୀୟ ନିୟନ୍ତ୍ରଣ କକ୍ଷ ମଧ୍ୟ ସକ୍ରିୟ ରହିବ। ଜରୁରୀ ସମୟରେ ଯୋଗାଯୋଗ ଅବ୍ୟାହତ ରଖିବାକୁ ମୁଖ୍ୟ ଅଧିକାରୀମାନଙ୍କୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି।ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇଁ ଉପଭୋକ୍ତାମାନେ ୨୪ ଘଣ୍ଟିଆ ଟୋଲ୍-ଫ୍ରି ନମ୍ବର ୧୯୧୨ ଓ ୧୮୦୦-୨୦୨୮ରେ ଯୋଗାଯୋଗ କରିପାରିବେ। କମ୍ପାନୀର ୱେବ୍ସାଇଟ୍, ମାଇ ଟାଟା ପାୱାର୍ ଆପ୍, ହ୍ୱାଟ୍ସଆପ୍, ଆଇଭିଆର୍ଏସ୍ ଏବଂ ୯୭୭୭୭୭୪୫୧୧ ନମ୍ବରକୁ ମିସ୍ଡ୍ କଲ୍ ଦେଇ ମଧ୍ୟ ଅଭିଯୋଗ ଜଣାଇହେବ। ବିଦ୍ୟୁତ୍ ବିଭ୍ରାଟ ସମ୍ପର୍କିତ ସୂଚନା କମ୍ପାନୀର ‘ଏକ୍ସ’ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଦିଆଯିବ।ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା କହିଛନ୍ତି, “ବାତ୍ୟା ‘ଅର୍ଣ୍ଣବ’ ଆସୁଥିବାରୁ ଜନସାଧାରଣଙ୍କ ସୁରକ୍ଷା ଏବଂ ବିଦ୍ୟୁତ୍ ବିଭ୍ରାଟକୁ ସର୍ବନିମ୍ନ ରଖିବା ଆମର ପ୍ରାଥମିକତା। ଆଗୁଆ ଯୋଜନା ଓ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଆମର କର୍ମଚାରୀ, ଉପକରଣ ଓ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରହିଛି। ଯେଉଁଠାରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବ, ସେଠାରେ ଯଥାଶୀଘ୍ର ସେବା ସ୍ୱାଭାବିକ କରିବାକୁ ଆମେ ସମସ୍ତ ପ୍ରୟାସ କରିବୁ।”ବର୍ଷା ଓ ଜଳବନ୍ଦୀ ସମୟରେ ବିଦ୍ୟୁତ୍ ଖୁଣ୍ଟି, ତାର କିମ୍ବା ଯନ୍ତ୍ରପାତି ନ ଛୁଇଁବାକୁ ଏବଂ ଓଦା ହାତରେ କିମ୍ବା ପାଣିରେ ଠିଆ ହୋଇ ବିଦ୍ୟୁତ୍ ଉପକରଣ ବ୍ୟବହାର ନ କରିବାକୁ କମ୍ପାନୀ ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛି। ପ୍ରବଳ ପବନ ସମୟରେ ଘର ଭିତରେ ରହିବା ସହ ଗଛ ଓ ଅସ୍ଥାୟୀ ସଂରଚନାଠାରୁ ଦୂରେଇ ରହିବାକୁ କୁହାଯାଇଛି। ପିଲାମାନଙ୍କୁ ଖୋଲା ଡ୍ରେନ୍ ଓ ଜଳବନ୍ଦୀ ଅଞ୍ଚଳଠାରୁ ଦୂରେଇ ରଖିବାକୁ ମଧ୍ୟ ଅଭିଭାବକଙ୍କୁ ଅନୁରୋଧ କରାଯାଇଛି।ଜନସୁରକ୍ଷା, ବିଦ୍ୟୁତ୍ ନେଟୱର୍କର ସ୍ଥିରତା ଏବଂ ବିଦ୍ୟୁତ୍ ସରବରାହର ଶୀଘ୍ର ପୁନରୁଦ୍ଧାର ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରତିବଦ୍ଧ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

