କେନ୍ଦୁଝର,26//10,(ଉତ୍କଳ ସମାଚାର ): ଗଜଲକ୍ଷ୍ମୀ ପୂଜା ଏବଂ କୁମାରପୂର୍ଣ୍ଣିମା ପାଇଁ କେନ୍ଦୁଝର ଜିଲ୍ଲା ଚଳଚଞ୍ଚଳ ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପୂଜା ଆସର, ମେଳାର ମହକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜମୁଛି। ଉତ୍ସବମୟ ପରିବେଶ ସାଙ୍ଗକୁ ଲୋକଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ପ୍ରକାଶ ପାଇଛି। ଭବ୍ୟ ତୋରଣ, ରଙ୍ଗୀନ ଆଲୋକସଜ୍ଜା, ମୀନାବଜାର, ଅପେରା, ଭଜନସନ୍ଧ୍ୟା ଓ ନୃତ୍ୟ ପ୍ରତିଯୋଗିତା ଉତ୍ସବର ଆକର୍ଷଣ ବଢ଼ାଇଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାବେଳେ ସନ୍ଧ୍ୟା ଆଳତି ସମୟରେ ଉତ୍ସବମୟ ପରିବେଶ ସୃଷ୍ଟି ହେଉଛି। ପୂଜା କମିଟିଗୁଡ଼ିକ ପକ୍ଷରୁ ଉତ୍ସବ ନିମନ୍ତେ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟ କରାଯାଉଛି। ଅନେକ ସ୍ଥାନରେ ଏକ ସପ୍ତାହ ଧରି ପୂଜା ଓ ମେଳା ଚାଲିବାକୁ ଥିବାରୁ ଉତ୍ସବର ମାହୋଲ ରେ କେନ୍ଦୁଝର ସହରର କାଶୀପୁର, ମାଧପୁର ମହାଲକ୍ଷ୍ମୀ ସାଂସ୍କୃତିକ କେନ୍ଦ୍ର, ସାର୍ବଜନୀନ ମହାଲକ୍ଷ୍ମୀ ପୂଜା କମିଟି ନ୍ୟୁସାହି, ପୁରୁଣାବଜାର, ବଣିଆପାଟ ‘ମା’ ଲକ୍ଷ୍ମୀପୂଜା କମିଟି, କମାରଗୋଡ଼ା, ବାଁପାର, ବଡ଼ହଳ, ଧୋବାଡ଼ିହା, ତେଲିମାର୍କେଟ’, ପବିତ୍ରତିହି, ନେତାଜୀ ଯୁବକ ସଂଘ, ଶିବନାରାୟଣପୁର ସାହି, ବୁଲାଦ୍ଵାରସାହି, ଲକ୍ଷ୍ମୀନାରାୟଣପୁର ସାହି, ଆଟୋପୁର, ରଙ୍ଗାପାଟସାହି, ଓ ବୈଦ୍ୟରାଜସାହି ଆଦି ଅଞ୍ଚଳ ଓ କମିଟି ପକ୍ଷରୁ ପୂଜା ଅନୁଷ୍ଠିତ ହେଉଛି। ରାଜମୁଣ୍ଡା, ପଦ୍ମପୁର, ପଲାଶପଙ୍ଗା, ନିକଟସ୍ଥ ମୁରୁମୁରୀ, ତୁରୁମୁନ୍ଗା , ପାଟଣା, ତଳୁଆ ଓ ଯୋଡ଼ା ମଧ୍ୟ ଉତ୍ସବମୁଖର ହୋଇଛି। ସନ୍ଧ୍ୟା ହେବାମାତ୍ରେ ପୂଜା ମଣ୍ଡପଗୁଡ଼ିକ ରଙ୍ଗୀନ ଆଲୋକରେ ଝଲସି ଉଠୁଛି। ମୀନାବଜାର ବୁଲି ଲୋକମାନେ ବିଭିନ୍ନ ଘରକରଣା ସାମଗ୍ରୀ, ଖେଳନା ଓ ଭଳିକି ଭଳି ଖାଦ୍ୟ କିଣୁଛନ୍ତି। ବିଭିନ୍ନ ସ୍ଥାନରେ ଅପେରା, ଭଜନସନ୍ଧ୍ୟା, ସାଂସ୍କୃତିକ ସଭା, ନୃତ୍ୟ ପ୍ରତିଯୋଗିତା ଲୋକଙ୍କ ମନ ମୋହୁଛି। ସ୍ଥାନୀୟ କଳାକାର ଓ ଯୁବପିଢ଼ିକୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ବିଭିନ୍ନ ମଞ୍ଚ ସୁଯୋଗ ଦେଉଛି। ସମସ୍ତ ପୂଜା କମିଟି ପକ୍ଷରୁ ପାରମ୍ପରିକ କଳସ ଶୋଭାଯାତ୍ରା କରାଯାଇଛି। ରାଇସୁଆଁ ରେ କଳସ ଶୋଭାଯାତ୍ରା ପୂଜା ମାହୋଲକୁ ଅଧିକ ଭକ୍ତିମୟ କରିଛି। ମେଳା ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କ କାରବାର ବଢ଼ାଇ ଦେଇଛି। ଘରେ ଘରେ ଦୁଲ୍କି ଚଢ଼ୋ ମୂଳରେ କୁମାରପୂର୍ଣ୍ଣିମା ପାଳନ ହୋଇଛି। କୁମାରୀମାନେ ଖଇ, ଛେନା, ଦହି, ଖଜୁରି ଆଦି ପୂଜା ସାମଗ୍ରୀରେ ଚାନ୍ଦ ତିଆରି କରି ଚନ୍ଦ୍ରଦେବଙ୍କୁ ଆରାଧନା କରିଛନ୍ତି। ସନ୍ଧ୍ୟାରେ ଚନ୍ଦ୍ରଦର୍ଶନ ପରେ କୁମାରୀମାନେ ବଢ଼ାପନା କରିଥିଲେ। ପୋଖରୀରୁ ବାଲି ଓ ଗେଣ୍ଡା ଆଣି ଘର ଉପରକୁ ପିଙ୍ଗିବା ସହ ଭାଇ ମାନଙ୍କ ନିରାମୟ ଜୀବନ କାମନା କରିଛନ୍ତି। ପୂଜାମଣ୍ଡପରେ ଶୃଙ୍ଖଳା ରକ୍ଷାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଉଛି

