ସମ୍ବଲପୁର,୦୧/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଶିଶୁମାନେ ଆଗାମୀ ସମାଜ ଓ ରାଷ୍ଟ୍ରର ଭବିଷ୍ୟତ। ସେମାନଙ୍କ ମୁହଁରେ ହସ, ମନରେ ନିର୍ଭୟତା ଓ ଜୀବନରେ ସୁରକ୍ଷା ସୁନିଶ୍ଚିତ କରିବା କେବଳ ସରକାର କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ; ପ୍ରତ୍ୟେକ ଅଭିଭାବକ, ଶିକ୍ଷକ ଓ ସମାଜର ସମସ୍ତଙ୍କର ଏହା ସାମୂହିକ କର୍ତ୍ତବ୍ୟ। ଏହି ଉଦ୍ଦେଶ୍ୟରେ ଶନିବାର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଦୌରାଜଜ୍ ଶ୍ରୀମତୀ ପ୍ରଜ୍ଞା ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ସହରର କମିଶନର କଲୋନି ବିଦ୍ୟାଳୟ ଓ ବୁଢ଼ାରଜା ବାଳିକା ଉଚ୍ଚ ବିଦ୍ୟାଳୟରେ ‘ପାନ୍ ଇଣ୍ଡିଆ ସୁରକ୍ଷିତ ଶୈଶବ ଅଭିଯାନ’ ଅନ୍ତର୍ଗତ ସଚେତନତା ଶିବିର ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକୁମାର ମହାପାତ୍ର, ନ୍ୟାୟାଧୀଶ ଶ୍ରୀ ସମ୍ୟକ୍ ପାତ୍ର, ଏଲ୍ପିଓ ଶ୍ରୀ ବ୍ୟୋମକେଶ ପାଣିଗ୍ରାହୀ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ ଏବଂ ପ୍ୟାନେଲ୍ ଆଇନଜୀବୀ ଶ୍ରୀ ଅନିଲ ଅଗ୍ରୱାଲ ଓ ଶ୍ରୀ ଆଶୁତୋଷ ପାତ୍ର ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଚିବ ଶ୍ରୀ ମହାପାତ୍ର ଶିଶୁ ନିର୍ଯାତନାର ବିଭିନ୍ନ ଦିଗ, ଏହାର ଭୟାବହତା ଓ ଆଇନଗତ ପ୍ରତିକାର ସମ୍ପର୍କରେ ବୁଝାଇଥିଲେ। ନ୍ୟାୟାଧୀଶ ଶ୍ରୀ ପାତ୍ର ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ସମସ୍ତଙ୍କ ସଚେତନତା ଏବଂ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।ଡା. ରାଜାରାମ ଷଡ଼ଙ୍ଗୀ କହିଥିଲେ ଯେ, ଶିଶୁଙ୍କ ପ୍ରତି ଅବହେଳା ମଧ୍ୟ ଏକ ପ୍ରକାର ଅନ୍ୟାୟ। ସେମାନଙ୍କୁ ଖାଦ୍ୟ, ପୋଷାକ ଓ ଶିକ୍ଷା ଦେବାରେ ଅଭିଭାବକଙ୍କ ଦାୟିତ୍ୱ ସରିଯାଏ ନାହିଁ। ଶିଶୁଙ୍କ ମନର କଥା ଶୁଣିବା, ଭୟ ଓ ସମସ୍ୟାକୁ ବୁଝିବା, ସ୍ନେହ ଓ ସମ୍ମାନ ଦେବା ସହ ଏକ ନିରାପଦ ପରିବେଶ ସୃଷ୍ଟି କରିବା ଜରୁରୀ। ଅଭିଭାବକମାନେ ଶିଶୁଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ି ସେମାନଙ୍କ ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣିବା ଉଚିତ। ପରିବାରର ସଚେତନତା ହିଁ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଥମ ସୁରକ୍ଷା କବଚ ବୋଲି ସେ ମତ ଦେଇଥିଲେ। ଲଜ୍ଜା ଓ ଭୟ ନକରି, ଲିଙ୍ଗଭେଦକୁ ଅତିକ୍ରମ କରି, ନିଜେ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କ ସହ ସବୁ କଥା ଆଲୋଚନା କରିବାକୁ ସେ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ।ଏଲ୍ପିଓ ଶ୍ରୀ ପାଣିଗ୍ରାହୀ ଶିଶୁ ନିର୍ଯାତନାର କାରଣ, ଏହାର ନିରାକରଣ ଓ ସମ୍ପୃକ୍ତ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଶିଶୁମାନଙ୍କୁ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ଅଗ୍ରୱାଲ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ର ଶିଶୁଙ୍କ ଉପରେ ପ୍ରଭାବ, ଅନଲାଇନ୍ ବିପଦ ଏବଂ ସେଥିରୁ ସୁରକ୍ଷିତ ରହିବାର ଉପାୟ ବିଷୟରେ ସଚେତନ କରିଥିଲେ। ଶ୍ରୀ ପାତ୍ର ଶିଶୁ ସୁରକ୍ଷା ସମ୍ପର୍କିତ ଆଇନ ଓ ଆଇନଗତ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ପାରା ଲିଗାଲ୍ ସ୍ୱେଚ୍ଛାସେବୀ ଶ୍ରୀ ସମୀର ତ୍ରିପାଠୀ ଶିଶୁ ନିର୍ଯାତନାର କାରଣ ଓ ଏହାର ବିଭିନ୍ନ ପ୍ରକାର ବିଷୟରେ ବୁଝାଇଥିଲେ।ଶିଶୁମାନେ ନିଜ ଶରୀରର ବ୍ୟକ୍ତିଗତ ସୀମା ସମ୍ପର୍କରେ ସଚେତନ ରହିବା, ଅସ୍ୱାଭାବିକ ସ୍ପର୍ଶକୁ ଚିହ୍ନିବା ଏବଂ ଅସୁବିଧା ଅନୁଭବ କଲେ ନିର୍ଭୟରେ ବିଶ୍ୱସ୍ତ ଅଭିଭାବକ କିମ୍ବା ଶିକ୍ଷକଙ୍କୁ ଜଣାଇବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ। କୌଣସି ଅତ୍ୟାଚାରକୁ ଲୁଚାଇ ନରଖିବା ସହ ଶିଶୁଙ୍କ ସୁରକ୍ଷା ପାଇଁ ସମୟୋଚିତ ହସ୍ତକ୍ଷେପ ଓ ଆଇନଗତ ସହାୟତା ନେବାର ଗୁରୁତ୍ୱ ମଧ୍ୟ ଉଲ୍ଲେଖ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶତାଧିକ ଛାତ୍ରୀ ଯୋଗଦେଇଥିଲେ। ଶେଷରେ ପାରା ଲିଗାଲ୍ ସ୍ୱେଚ୍ଛାସେବୀ ଶ୍ରୀମତୀ ସୁଷମା ପ୍ରଧାନ ଶିଶୁ ସୁରକ୍ଷାକୁ ନୈତିକ ଦାୟିତ୍ୱ ଭାବେ ଗ୍ରହଣ କରିବା ଏବଂ ପ୍ରତ୍ୟେକ ଶିଶୁଙ୍କୁ ଭୟମୁକ୍ତ ପରିବେଶରେ ବଢ଼ିବା, ନିଜ ସ୍ୱପ୍ନ ସାକାର କରିବା ଓ ଆତ୍ମବିଶ୍ୱାସର ସହ ଜୀବନ ଗଢ଼ିବାର ସୁଯୋଗ ଦେବା ପାଇଁ ଶପଥ ପାଠ କରାଇଥିଲେ।

