ନବରଙ୍ଗପୁର,1//11,(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରକୁ ନିରାପଦ, ବିଶୁଦ୍ଧ ଓ ନିରନ୍ତର ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ମେଗା ପାଇପ୍ଡ୍ ଜଳଯୋଗାଣ (Mega Piped Water Supply-PWS) ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ମଧୁମିତା ପ୍ରକଳ୍ପର ଜଳ ବିଶୋଧନାଗାର (Water Treatment Plant-WTP) ପରିଦର୍ଶନ କରିବା ସହ ପ୍ରକଳ୍ପର ସାମଗ୍ରିକ ଅଗ୍ରଗତି ଓ ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ।ଏହି ମେଗା ପାଇପ୍ଡ୍ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ନବରଙ୍ଗପୁର, ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକ୍ର ୪୦ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୋଟ ୧୫୯ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାର ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ଉକ୍ତ ଅଞ୍ଚଳର ଗ୍ରାମବାସୀଙ୍କୁ ପାନୀୟ ଜଳ ସମସ୍ୟାରୁ ଆଶ୍ୱସ୍ତି ମିଳିବା ସହ ଗ୍ରାମାଞ୍ଚଳର ଜଳଯୋଗାଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ।ପରିଦର୍ଶନ ସମୟରେ ଜିଲ୍ଲାପାଳ ଜଳ ବିଶୋଧନାଗାରର କାର୍ଯ୍ୟକାରିତା, ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ନିର୍ମାଣାଧୀନ ଭିତ୍ତିଭୂମି, ପାଇପ୍ ବିଛାଇବା କାର୍ଯ୍ୟ, ଜଳ ସଂରକ୍ଷଣ ବ୍ୟବସ୍ଥା ଏବଂ ଅବଶିଷ୍ଟ କାର୍ଯ୍ୟଗୁଡ଼ିକର ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କଠାରୁ ବିସ୍ତୃତ ତଥ୍ୟ ନେଇଥିଲେ। ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ନିର୍ମାଣର ଗୁଣାତ୍ମକ ମାନ, ବୈଷୟିକ ମାନଦଣ୍ଡ ଓ ନିର୍ଦ୍ଧାରିତ ସମୟସୀମା ପାଳନ ଉପରେ ସେ ଗୁରୁତ୍ୱ ଦେଇଥିଲେ।ବିଶେଷ କରି ପ୍ରକଳ୍ପ ଅନ୍ତର୍ଗତ ଗୋଟିଏ ଇଣ୍ଟରମିଡିଏଟ୍ ବୁଷ୍ଟର ପମ୍ପିଂ ଷ୍ଟେସନ୍ (IBPS) ଏବଂ ୫ଟି ଉଚ୍ଚସ୍ଥିତ ଜଳ ସଂରକ୍ଷଣ ଟାଙ୍କି (ESRs)ର ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ନଭେମ୍ବର ୨୦୨୬ ସୁଦ୍ଧା ଶେଷ କରିବାକୁ ସେ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଡିସେମ୍ବର ୨୦୨୬ ସୁଦ୍ଧା ସମସ୍ତ ୧୫୯ଟି ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସମୟସୀମା ଧାର୍ଯ୍ୟ କରିଥିଲେ।ଏହି ସମୀକ୍ଷା ସମୟରେ RWSS ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ, ପାପଡ଼ାହାଣ୍ଡି ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ, ଅଥରିଟି ଇଞ୍ଜିନିୟର, ପ୍ରକଳ୍ପ ପରିଚାଳକ ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥା ଜିଭିପିଆର୍ ଇଞ୍ଜିନିୟର୍ସ ଲିମିଟେଡ୍ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ ସହିତ ଜିଲ୍ଲାପାଳ ପାପଡ଼ାହାଣ୍ଡି ବ୍ଲକ୍ କାର୍ଯ୍ୟାଳୟ ପରିଦର୍ଶନ କରି ବିଡିଓ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO)ଙ୍କ ସହ ଆଲୋଚନା କରିଥିଲେ। ବ୍ଲକ୍ର ଭୌଗୋଳିକ ସ୍ଥିତି, ଏହାର ସୀମାବର୍ତ୍ତୀ ଅଞ୍ଚଳ, ପଡ଼ୋଶୀ ବ୍ଲକ୍ ଓ କଳାହାଣ୍ଡି ଜିଲ୍ଲା ସହିତ ଏହାର ଭୌଗୋଳିକ ସମ୍ପର୍କ, ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ପରିସୀମା ଏବଂ ଏହା ସହ ଜଡ଼ିତ ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ତଥ୍ୟ ନେଇଥିଲେ। ଏଥିସହ ଜନସାଧାରଣଙ୍କୁ ସରକାରୀ ସେବା ଯୋଗାଣରେ ରହିଥିବା ସମସ୍ୟା ଓ ତାହାର ସମାଧାନ ଉପରେ ଆଲୋଚନା କରିଥିଲେ।ବ୍ଲକ୍ ମୁଖ୍ୟାଳୟରେ ଏକ ଆଦର୍ଶ ହାଟ (Model Haat) ପ୍ରତିଷ୍ଠାର ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସିଡିପିଓ କାର୍ଯ୍ୟାଳୟ ଭବନ ଓ ମିଶନ ଶକ୍ତି ଭବନର ଅସମ୍ପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବା, ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର (Sakhyam AWC)ର ଭିତ୍ତିଭୂମି ଓ ସୁବିଧାସୁଯୋଗର ଉନ୍ନତିକରଣ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।ଜିଲ୍ଲାପାଳ ଟାଣ୍ଡାଗୁଡ଼ାସ୍ଥିତ ଟେରାକୋଟା କେନ୍ଦ୍ର ପରିଦର୍ଶନ କରି ସେଠାରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଓଡ଼ିଶା ଜୀବିକା ମିଶନ (OLM)ର ବ୍ଲକ୍ ପ୍ରକଳ୍ପ ପରିଚାଳକ (BPM) ଉପସ୍ଥିତ ଥିଲେ। ମାଟିରୁ ବିଭିନ୍ନ ଟେରାକୋଟା ସାମଗ୍ରୀ ପ୍ରସ୍ତୁତିର ପ୍ରକ୍ରିୟା, ଉତ୍ପାଦର ଗୁଣବତ୍ତା, ବଜାର ସଂଯୋଗ, ବିକ୍ରୟ ବ୍ୟବସ୍ଥା ଏବଂ ଉତ୍ପାଦକ ଗୋଷ୍ଠୀ (Producer Group) ଭାବେ ସେମାନଙ୍କର ଆର୍ଥିକ ସ୍ୱାବଲମ୍ବନର ସୁଯୋଗ ସମ୍ପର୍କରେ ଜିଲ୍ଲାପାଳ ଆଲୋଚନା କରିଥିଲେ।ପରିଦର୍ଶନ ସମୟରେ ଭିବି-ଗ୍ରାମଜି (VB-G RAM G) କାର୍ଯ୍ୟକ୍ରମ ଅନ୍ତର୍ଗତ ଆବଶ୍ୟକ କାର୍ଯ୍ୟଗୁଡ଼ିକରେ ସମନ୍ୱୟ ରଖି ଟେରାକୋଟା କେନ୍ଦ୍ରର ସୀମା ପ୍ରାଚୀର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସେ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ଟାଣ୍ଡାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରର କର୍ମୀ ଓ ସିଡିପିଓଙ୍କ ସହ ଆଲୋଚନା କରିଥିଲେ। ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ, ସେମାନଙ୍କର ପ୍ରାକ୍-ବିଦ୍ୟାଳୟ ଶିକ୍ଷାର ସ୍ଥିତି, ରୋଷେଇ ଘରର ବ୍ୟବସ୍ଥା, ପରିମଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ସେ ଯାଞ୍ଚ କରିଥିଲେ। ରୋଷେଇ ଘରେ ଆବଶ୍ୟକ ଆଲୋକୀକରଣ ବ୍ୟବସ୍ଥା ତୁରନ୍ତ କରିବା ସହ ଶିଶୁମାନଙ୍କୁ ଉତ୍ତମ ମାନର ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବାକୁ ସେ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଜିଲ୍ଲାପାଳ ଟାଣ୍ଡାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିକଶିତ ଗ୍ରାମ ପଞ୍ଚାୟତ ଓଡ଼ିଶା (BGBO) ୨୦୨୫-୨୬ ଅଧୀନରେ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ ଯାଞ୍ଚ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରି ଶିକ୍ଷକଙ୍କ ଉପସ୍ଥିତି, ଶିକ୍ଷାଦାନର ମାନ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତି ଓ ବିଦ୍ୟାଳୟର ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ସେ ତଥ୍ୟ ନେଇଥିଲେ। ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଭାବେ ଭାବ ବିନିମୟ କରି ସେମାନଙ୍କର ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ।ବିଦ୍ୟାଳୟର ସୀମା ପାଚେରୀ ଓ ଶୌଚାଳୟ ଗୃହର ମରାମତି ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ନିଜ ସନ୍ତାନଙ୍କ ପରି ସ୍ନେହ, ଯତ୍ନ ଓ ଦାୟିତ୍ୱର ସହ ଶିକ୍ଷାଦାନ କରିବା ସହ ସେମାନଙ୍କର ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଟାଣ୍ଡାଗୁଡ଼ାଠାରେ ନିର୍ମାଣାଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ଭବନ ପରିଦର୍ଶନ କରି ଉପସ୍ଥିତ କର୍ମଚାରୀ ଓ ନିର୍ମାଣକାରୀ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ନିର୍ମାଣ କାର୍ଯ୍ୟର ଅଗ୍ରଗତି, ଗୁଣାତ୍ମକ ମାନ ଓ ରହିଥିବା ସମସ୍ୟା ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ। ପ୍ରକଳ୍ପକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ନିର୍ମାଣ କାର୍ଯ୍ୟରେ ରହିଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇବାକୁ ପିଡବ୍ଲ୍ୟୁଡିର ଏସ୍ଡିଓଙ୍କୁ ନିର୍ଦେଶ ଦିଆ ଯାଇଥିଲା। ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାତାୟାତ ପାଇଁ ଆବଶ୍ୟକ ଆପ୍ରୋଚ୍ ରୋଡ୍ ନିର୍ମାଣ ନିମନ୍ତେ BGBO ଓ VB-G RAM G ଯୋଜନାରେ ଅଭିସରଣ (Convergence) ମାଧ୍ୟମରେ ପଦକ୍ଷେପ ନେବାକୁ ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ନକ୍ତିଗୁଡ଼ା ନିକଟସ୍ଥ ସେତୁ ପରିଦର୍ଶନ କରି ଜିଲ୍ଲାପାଳ ତୁମ୍ବର୍ଲା ଛକ ନିକଟସ୍ଥ ନକ୍ତିଗୁଡ଼ାଠାରେ ଥିବା ସେତୁ ପରିଦର୍ଶନ କରି ଏହାର ସ୍ଥିତି ଓ ସମ୍ପୃକ୍ତ ସମସ୍ୟାଗୁଡ଼ିକ ଅନୁଧ୍ୟାନ କରିଥିଲେ। ସେତୁ ସମ୍ପର୍କରେ ବିସ୍ତୃତ ତଥ୍ୟ ଓ ବର୍ତ୍ତମାନର ସ୍ଥିତି ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଇବା ପାଇଁ ବିଡିଓଙ୍କୁ ଆର୍ଡି ବିଭାଗର ସମ୍ପୃକ୍ତ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଚାନ୍ଦିଲି ପଣ୍ଡିକୋଟ ଗ୍ରାମ ପଞ୍ଚାୟତରେ ମେଗା ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଥିଲେ lଏହାପରେ ଜିଲ୍ଲାପାଳ ଚାନ୍ଦିଲି ଅଞ୍ଚଳର ପଣ୍ଡିକୋଟ ଗ୍ରାମ ପଞ୍ଚାୟତଠାରେ ମେଗା ପାଇପ୍ଡ୍ ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଥିଲେ। RWSS ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରକଳ୍ପରେ ନିୟୋଜିତ କର୍ମଚାରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତଥ୍ୟ ନେଇଥିଲେ। ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବା ଏବଂ ଗ୍ରାମବାସୀଙ୍କୁ ଶୀଘ୍ର ପାନୀୟ ଜଳ ସୁବିଧା ଯୋଗାଇଦେବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ।ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ତୁରନ୍ତ ସମାପ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ lପରିଦର୍ଶନ ସମୟରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ପ୍ରତ୍ୟେକ କାର୍ଯ୍ୟର ବିସ୍ତୃତ ସ୍ଥିତି, ଅଗ୍ରଗତି ଓ ରହିଥିବା ସମସ୍ୟା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କହିଥିଲେ।ଏହି କ୍ରମରେ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା।ମିଶନ ଶକ୍ତି ଭବନ ଓ ସିଡିପିଓ କାର୍ଯ୍ୟାଳୟର ବିଦ୍ୟୁତୀକରଣ: ଡିପିଏମ୍, ଓଏଲ୍ଏମ୍ ଏବଂ ପିଡବ୍ଲ୍ୟୁଡିର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାୟିତ୍ୱ ନିର୍ଦେଶ ଦେଇଥିଲେ l୮୬ଟି ଅଙ୍ଗନବାଡ଼ି କେନ୍ଦ୍ରର ବିଦ୍ୟୁତୀକରଣ: TPSODLର ଏସ୍ଡିଓଙ୍କୁ ଏହି କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ କୁହାଯାଇଥିଲା।ଆଦର୍ଶ ହାଟ (Model Haat) ପ୍ରତିଷ୍ଠା ନିମନ୍ତେ ଉପନିର୍ଦ୍ଦେଶକ, ଯୋଜନା ଓ ପର୍ଯ୍ୟବେକ୍ଷଣଙ୍କୁ ଏହାର ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁନିର୍ଦେଶ ଦେଇଥିଲେ lମୈଦଲପୁର ସ୍ଥିତ ମେଡିକାଲ୍ ଭବନର ନିର୍ମାଣ ସମାପ୍ତି ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO)ଙ୍କୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ନିର୍ଦେଶ ଦେଇଥିଲେ lଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ପ୍ରକଳ୍ପଗୁଡ଼ିକୁ ସମୟୋଚିତ ଭାବେ ସମାପ୍ତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସରକାରୀ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ପହଞ୍ଚିପାରିବ, ସେଥିପାଇଁ ଅଧିକାରୀମାନେ ଦାୟିତ୍ୱବୋଧ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ, ଜୀବିକା ଓ ମୌଳିକ ଭିତ୍ତିଭୂମିର ବିକାଶକୁ ଅଗ୍ରାଧିକାର ଦେଇ ସମସ୍ତ ଚାଲୁ ରହିଥିବା ପ୍ରକଳ୍ପର ନିୟମିତ ତଦାରଖ ଓ ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛି।

