ରାଉରକେଲା:14//12,(ଉତ୍କଳ ସମାଚାର)ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସ୍ପନ୍ଦନ,ରାଉରକେଲା ଡିସେମ୍ବର ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସିଭିକ୍ ସେଣ୍ଟରଠାରେ ଆୟୋଜନ କରିବାକୁ ଯାଉଛି ୩୬ତମ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ୨୦୨୫ । ବିଭିନ୍ନ ଭାଷାଭାଷୀ ଲୋକମାନେ ବସବାସ କରୁଥିବା ତଥା ମିନି ଇଣ୍ଡିଆ କୁହାଯାଉଥିବା ଇସ୍ପାତ ନଗରୀ ରାଉରକେଲାଠାରେ ଦୀର୍ଘ ଆଠ ଦିନ ବ୍ୟାପୀ ଆୟୋଜିତ ହେବାକୁଥିବା ଏହି ଜାତୀୟ ମହାପର୍ବର ଉଦଘାଟନ ଦିବସ ଡିସେମ୍ବର ୨୦ ତାରିଖ ସଂଧ୍ୟାରେ କଳା,ସାହିତ୍ୟ ଓ ସଂସ୍କୃତିର ଅନୁଷ୍ଠାନ ସ୍ପନ୍ଦନ,ରାଉରକଲା ମଂଚସ୍ଥ କରିବ ଓଡିଆ ନାଟକ ” ଜହର ଜହ୍ନ”। ଡିସେମ୍ବର ୨୧ରେ ଭୁବନେଶ୍ବରସ୍ଥିତ ” ବିଦ୍ୟାକନକ ସୃଜନାନୁଷ୍ଠାନ ପରିବେଷଣ କରିବ ଅନ୍ୟ ଏକ ଓଡିଆ ନାଟକ “କୁହୁଡି “।ମହୋତ୍ସବର ୩ୟ ଦିବସ ତଥା ୨୨ଡିସେମ୍ବର ସଂଧ୍ୟା ରେ ମଂଚନ ହେବ ଭିନ୍ନ ସ୍ବାଦର ପୁଣି ଏକ ଓଡିଆ ନାଟକ ” ଏବଂ କିଏ”,ଯାହାକୁ ଭୁବନେଶ୍ବରର “ବାଗଦେବୀ ଲିଟେରେଚର ଟ୍ରଷ୍ଟ”ର କଳାକାରଗଣ ମଞ୍ଚସ୍ଥ କରିବେ । ୪ର୍ଥ ସଂଧ୍ୟା ଡିସେମ୍ବର୨୩ରେ ବାରାଣାସୀରୁ ଆସିଥିବା “ମଂଚଦୂତମ୍” ନାଟ୍ୟାନୁଷ୍ଠାନ ଉପସ୍ଥାପନ କରିବ ହିନ୍ଦୀ ନାଟକ “ମଧ୍ୟାନ୍ତର” ଏବଂ ୨୪ତାରିଖ ସଂଧ୍ୟାରେ ବଂଗଳା ଭାଷାର ନାଟକ ଉତ୍ତମ ପୁରୁଷ ପରିବେଷଣ କରିବ ପଶ୍ଚିମ ବଂଗର ଗୋବରଡଂଗା ଶିଳ୍ପାୟନ ନାଟ୍ୟ ସଂସ୍ଥା।ଡିସେମ୍ବର ୨୫ ତାରିଖ ସଂଧ୍ୟାରେ ଆସାମର ସିରସା ଅନଷ୍ଠାନ ମଂଚସ୍ଥ କରିବ ଆସାମି ଭାଷାର ନାଟକ”ବିରଳ ତପସ୍ବୀ” । ଡିସେମ୍ବର ୨୬ ତାରିଖରେ ମଂଚସ୍ଥ ହେବ ହିନ୍ଦୀ ଭାଷାର ବହୁ ଚର୍ଚ୍ଚିତ ନାଟକ “ସମସାନ ଏକ ମହାପର୍ବ”,ଯାହା ପରିବେଷଣ କରିବେ ସୁଦୂର ଗୋଆଲିୟରର ଆଇ ଟି ଏମ୍ ପରଫରମିଂଗ ଆର୍ଟସ କ୍ଲବ । ଏହି ମହୋତ୍ସବର ଉଦଯାପନୀ ସଂଧ୍ୟାରେ ଭାରତବର୍ଷର ବିଭିନ୍ନ ଅଂଚଳର ଲୋକନୃତ୍ୟ ପ୍ରତିଯୋଗିତା ଏବଂ ପରେପରେ ନାଟକ କ୍ଷେତ୍ରରେ ପ୍ରତିଭାମାନଙ୍କ ପାଇଁ ସମ୍ବର୍ଦ୍ଧନା ପର୍ବ ଓ ପୁରସ୍କାର ଉତ୍ସବ । ଦେୟମୁକ୍ତ ଏହି ମହୋତ୍ବରେ କଳାନୁରାଗୀ ରାଉରକେଲା ବାସୀଙ୍କୁ ଯୋଗ ଦେଇ ନାଟକ ଓ ନୃତ୍ୟ ଉପଭୋଗ କରିବାକୁ ସ୍ପନ୍ଦନ ପରିବାର ତରଫରୁ ଅନୁରୋଧ କରାଯାଉଛି ।

