ସୁନ୍ଦରଗଡ଼,14//12,(ଉତ୍କଳ ସମାଚାର): ସୁନ୍ଦରଗଡ଼ ରେ ଆଜି ଉଦଘାଟିତ ହୋଇଯାଇଅଛି ସାଂସଦ ଖେଳ ମହୋତ୍ସବ। ସ୍ଥାନୀୟ ଭବାନୀପୁର ସ୍ପୋର୍ଟସ କମ୍ପ୍ଲେକ ପରିସରରେ ଆଜି ସାଂସଦ ଖେଳ ମହୋତ୍ସବ ଆରମ୍ଭ ହୋଇଅଛି। କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ମାନ୍ୟବର ସାଂସଦ, ସୁନ୍ଦରଗଡ଼ ଶ୍ରୀ ଜୁଏଲ ଓରାମ, ମାନ୍ୟବର ଉପ ବାଚସ୍ପତି, ଓଡ଼ିଶା ବିଧାନ ସଭା, ଶ୍ରୀ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଶ୍ରୀମତୀ ସୁଭଦ୍ରା ପ୍ରଧାନ, କ୍ରୀଡାବିତ୍ ଶ୍ରୀ ପ୍ରତୀକ ମହାରଣା ଯୋଗ ଦେଇଥିଲେ।ଏହି ଅବସରରେ ଜିଲ୍ଲାପାଳ ଡ଼ା ମହାପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କ୍ରୀଡା ମହୋତ୍ସବ ଆୟୋଜନ କରାଯାଇ ତୃଣମୂଳ ସ୍ତରରୁ ବିଭିନ୍ନ ବର୍ଗରେ ପ୍ରତିଭାବାନ କ୍ରୀଡାବିତ୍ ମାନଙ୍କୁ ଚୟନ କରାଯାଇଅଛି ଏବଂ ଏହି କ୍ରୀଡାବିତ୍ ମାନଙ୍କ ମଧ୍ୟରୁ ମଧ୍ୟ ଓଲିମ୍ପିକ୍ସ୍ ରେ ଅଂଶ ଗ୍ରହଣ କରିବେ ବୋଲି ସେ ଦୃଢ଼ ଆଶା ପ୍ରକାଶ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ” ସୁନ୍ଦରଗଡ଼ ଜିଲ୍ଲା ହେଉଅଛି କ୍ରୀଡାର ଏକ ବୃହତ୍ କ୍ଷେତ୍ର, ଏହି ମାଟିରେ ବହୁ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡାବିତ୍ ସୃଷ୍ଟି ହୋଇଛନ୍ତି। ଏହି ସାଂସଦ ଖେଳ ମହୋତ୍ସବ ଆୟୋଜନ ଦ୍ଵାରା ଗ୍ରାମାଞ୍ଚଳ ରୁ ଲୁକ୍କାୟିତ ପ୍ରତିଭା ମାନଙ୍କର ଅନେଶ୍ଵଣ କରାଯାଇଅଛି। ଏହି କ୍ରୀଡାବିତ୍ ମାନେ ଭବିଷ୍ୟତରେ ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ର ରେ ସୁନାମ ଅର୍ଜନ କରିବା ସହିତ ଦେଶ ପାଇଁ ମେଡାଲ ମଧ୍ୟ ଅର୍ଜନ କରିବେ”ସାଂସଦ ଖେଳ ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇ ଚଳିତ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ନିମନ୍ତେ ୧୫ ଗୋଟି ବର୍ଗରେ ସମଗ୍ର ସାତ ଗୋଟି ବିଧାନସଭା କ୍ଷେତ୍ରରୁ ପ୍ରାୟ ୩୩ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ପଞ୍ଜିକରଣ କରିଥିଲେ ଏବଂ ଗ୍ରାମ ପଞ୍ଚାୟତ ସ୍ତର, ବ୍ଲକ ସ୍ତର ଦେଇ ୩ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ପହଂଚିଛନ୍ତି।ଏହି ଅବସରରେ ଆଜି ଏକ ବିଶାଳ ମଶାଲ ଶୋଭାଯାତ୍ରା ସମଲେଇ ମନ୍ଦିର ରୁ ବାହାରି ସହର ପରିକ୍ରମା କରି ଭବନିପୁର୍ ପଡିଆ ଠାରେ ପହଞ୍ଚି ଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ପୂର୍ବତନ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲା ସଭାପତି ଶ୍ରୀ ଗିରୀଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲା ଜିଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଯଶୋବନ୍ତ ନାଏକ,ରାଉରକେଲା ଜିଲ୍ଲା ସଭାପତି ଶ୍ରୀମତୀ ପୂର୍ଣ୍ଣିମା କେରକେଟା, ଓଡ଼ିଶା ତୀରନ୍ଦାଜ୍ ସଙ୍ଘର ଉପ ସଭାପତି ତଥା ସାଂସଦ ଖେଳ ମହୋତ୍ସବ ଜିଲ୍ଲା ସଂଯୋଜକ ଶ୍ରୀ ବଟକିଶୋର ମିଶ୍ର, ସହ ସଂଯୋଜକ ଶ୍ରୀ ଅଭୟ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତେଜ କୁମାର ଖେସ, ଅନ୍ୟାନ୍ୟ ବରେଣ୍ୟ ଅତିଥିବୃନ୍ଦ, କ୍ରୀଡା ଶିକ୍ଷକ, କୋଚ, ରେଫରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେ ପରେ ବିଭିନ୍ନ ବର୍ଗ ରେ ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଶେଷଦେବ ନନ୍ଦ ଏବଂ ପ୍ରିୟଙ୍କା ଜେନା ସଂଯୋଜନା କରିଥିଲେ।

