ରାଉରକେଲା:21//12,(ଉତ୍କଳ ସମାଚାର) ଶ୍ରୀ ସତ୍ୟ ସାଇ ସେବା ସଂଗଠନ, ରାଉରକେଲା ସମିତି ଆନୁକୂଲ୍ୟରେ ୨୧ ଡିସେମ୍ବର (ରବିବାର) ଦିନ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍, ବିସ୍ରା ଛକଠାରେ ‘ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ୍ ରାଇଡ୍’ ମାରାଥନ୍ ଏବଂ ସାଇକେଲ୍ ରାଲି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହ ଉପଲକ୍ଷେ ଦେଶର ୬୦ଟି ସହରରେ ଏହି କାର୍ଯ୍ୟକ୍ରମ ଏକସଙ୍ଗେ ଆୟୋଜନ କରାଯାଇଥିଲା, ଯାହା ଭାରତ ସରକାରଙ୍କ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ସହ ଜଡ଼ିତ ରହିଥିଲା।ରାଉରକେଲାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରାୟ ୨୮୦୦ରୁ ଅଧିକ ପ୍ରତିଯୋଗୀ ଏହି ‘ରନ୍ ଆଣ୍ଡ୍ ରାଇଡ୍’ରେ ଅଂଶଗ୍ରହଣ କରିଥିଲେ। ସକାଳ ୬:୩୦ ମିନିଟରେ ମାରାଥନର ଶୁଭାରମ୍ଭ ହୋଇଥିଲା। ରାଉରକେଲା ବିଧାୟକ ଦୁର୍ଗା ତାନ୍ତୀ ଏବଂ ଚାମ୍ବର ଅଫ୍ କମର୍ସର ପୂର୍ବତନ ସଭାପତି ଶୁଭ ପଟ୍ଟନାୟକ ସବୁଜ ପତାକା ଦେଖାଇ ପ୍ରତିଯୋଗୀମାନଙ୍କୁ ର କରିଥିଲେ। ଅଂଶଗ୍ରହଣକାରୀମାନେ ୩ କିମି (ସେକ୍ଟର-୨୧), ୫ କିମି (ସେକ୍ଟର-୨) ଏବଂ ୧୦ କିମି (ଆମବାଗାନ ଛକ) ଦୂରତା ଅତିକ୍ରମ କରି ପୁଣି ଷ୍ଟାଡିୟମକୁ ଫେରିଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ବରଗଡ଼ ଜିଲ୍ଲାରୁ ଆସିଥିବା କଳାକାରମାନେ ଘୁମୁରା, ଢୋଲ-ମହୁରୀ ଏବଂ ପାରମ୍ପରିକ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ। ଜିଲ୍ଲା ସଭାପତି ମନୋଜ ରଥ, ସଂଯୋଜକ ବିଜୟ କୁମାର ମହାପାତ୍ର, ପ୍ରସଞ୍ଜିତ ଦାସ, ପ୍ରଫେସର ହୃଷୀକେଶ ନାୟକ, କରୁଣାକର ପଟେଲ, ଲିଲି ପଟେଲ, ବିଭୂତି ପଟ୍ଟନାୟକ ଏବଂ ସାହେବ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଏହି ଆୟୋଜନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

