ରାଉରକେଲା:23//12,(ଉତ୍କଳ ସମାଚାର) ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ରାଉରକେଲା ଛେଣ୍ଡ କ୍ୟାମ୍ପସରେ ବିକାଶଶୀଳ ପ୍ରଯୁକ୍ତିବିଦ୍ୟାର ଉଦୀୟମାନ ଧାରା ଉପରେ ତିନି ଦିନିଆ ବିପିୟୁଟି ବହୁ-ଆନ୍ତର୍ଜାତୀୟ ସମ୍ମିଳନୀ ରବିବାର ଦିନ ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ୩୦୦ରୁ ଅଧିକ ଗବେଷଣା ପ୍ରବନ୍ଧ ପ୍ରାପ୍ତ ହୋଇଥିବା ବେଳେ, ସେଥିମଧ୍ୟରୁ ୮୬ଟି ଉଚ୍ଚକୋଟୀର ପ୍ରବନ୍ଧକୁ ଚୟନ କରାଯାଇଥିଲା। ଏହି ପ୍ରବନ୍ଧଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯଥା, ବୁଦ୍ଧିମାନ ସୂଚନା ଏବଂ କମ୍ପ୍ୟୁଟିଂ ସିଷ୍ଟମ, ବୁଦ୍ଧିମାନ ସାମଗ୍ରୀ, ସମିଶ୍ରଣ ଏବଂ ସଂରଚନା ସମାଜ, ସୂଚନା ବିଜ୍ଞାନ ଏବଂ ନିରନ୍ତରତା, ଭୌତିକ, ପରିବେଶଗତ ଏବଂ କମ୍ପୁଟର ବିଜ୍ଞାନ ଆଦି ବିଷୟ ଉପରେ ଆଧାରିତ। ସମ୍ମିଳନୀରେ ୧୪ଟି ଦେଶର ଗବେଷକ ଓ ବିଦ୍ୱାନମାନେ ଅଂଶଗ୍ରହଣ କରି ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ। ସମ୍ମିଳନୀର ଉଦଯାପନୀ ସମାରୋହ ନେତାଜୀ ସୁଭାଷ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରୋଗ୍ରାମ ଚେୟାର ପ୍ରଫେସର ଶ୍ରୀନିବାସ ସେଠୀ, ଜେନେରାଲ ଚେୟାର ପ୍ରଫେସର ବିଭୁଦତ୍ତ ସାହୁ, ମୁଖ୍ୟ ଅତିଥି ଭାବେ ବେଙ୍ଗାଲୁରୁର ଆଇଆଇଏସଟିର ପୂର୍ବତନ ପ୍ରଫେସର ଏଲ.ଏମ. ପଟ୍ଟନାୟକ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ତଥା ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ଅମିୟ କୁମାର ରଥ ଏବଂ କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ ପ୍ରମୁଖ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ପ୍ରଫେସର ଶ୍ରୀନିବାସ ସେଠୀ, ପ୍ରଫେସର ସାହୁ ଗବେଷକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହି ସମ୍ମିଳନୀ କିଭଳି ସେଗୁଡ଼ିକର ସମାଧାନ ଦିଗରେ କାର୍ଯ୍ୟ କରିବ, ସେ ବିଷୟରେ ଆଲୋଚନା କରିଥିଲେ। କୁଳପତି ପ୍ରଫେସର ରଥ ବାସ୍ତବ ଜୀବନର ସମସ୍ୟା ସମାଧାନ ପାଇଁ ବହୁମୁଖୀ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ବିପିୟୁଟି ହ୍ୟାକାଥନ ଓ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ଭଳି ନିଆରା ପଦକ୍ଷେପ ବିଷୟରେ ମୁଖ୍ୟ ଅତିଥି ପ୍ରଫେସର ଏଲ୍ ଏମ୍ ପଟ୍ଟନାୟକ ଇଣ୍ଟରଡିସିପ୍ଲିନାରୀ ଗବେଷଣା, ସ୍ଥାୟିତ୍ୱ ଏବଂ ସ୍ୱଦେଶୀ ଜ୍ଞାନକୌଶଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମାନବ ଜୀବନରେ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ଏବଂ କୃଷି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଭୂମିକା ସମ୍ପର୍କରେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଗୃହୀତ ହୋଇଥିବା ସମସ୍ତ ଗବେଷଣା ପ୍ରବନ୍ଧର ସଂକ୍ଷିପ୍ତ ସାରାଂଶକୁ ନେଇ ଏକ ପୁସ୍ତକ ଉନ୍ମୋଚିତ କରାଯାଇଥିଲା। ଶେଷରେ ବିପିୟୁଟି କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଶିବକୁମାର ମିଶ୍ର, ଡକ୍ଟର ବିକ୍ରମାଦିତ୍ୟ ଦାଶ, ଡକ୍ଟର ଡି. ଚନ୍ଦ୍ରଶେଖର ରାଓ, ଡକ୍ଟର ଶୁଭେନ୍ଦୁ ରଥଙ୍କ ସମେତ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଅଧିକାରୀ, ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ତିନି ଦିନିଆ ସମ୍ମିଳନୀରେ କାନାଡା ମ୍ୟାକଗିଲ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲ୍ଏମ୍ ପଟ୍ଟନାୟକ, ତାଇୱାନ ଏନ୍ଓ୍ବାଇୟୁଏସଟି ବିଶ୍ବବିଦ୍ୟାଳୟର ପ୍ରଫେସର ଅଗସ୍ସା ସିମିତୋ, ସାଉଦିଆରବିଆ କିଙ୍ଗ ଫୟାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଜି ଏ ରବି କିରଣ, ଜାପାନ ପାଣିପାଗ ନିଗମର ମୁଖ୍ୟ ମୁଫି ମହମୁଦ, ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଡକ୍ଟର ଶ୍ରୀଧର ନାୟକ, ୟୁକେଆରସି ଫୋରନାକ୍ସର ଭିଜିଟିଂ ପ୍ରଫେସର ଶିବ କୁମାର ଉଦ୍ଗାତା ଏବଂ ୱେଷ୍ଟ ସ୍ୱୀଡେନ ୟୁନିଭରସିଟିର ଭିଜିଟିଂ ପ୍ରଫେସର ଡକ୍ଟର ଅମିତ କୁମାର ମିଶ୍ରଙ୍କ ଭଳି ବିଶିଷ୍ଟ ବୈଜ୍ଞାନିକମାନେ ନିଜର ଅଭିଭାଷଣ ରଖିଥିଲେ। ଏହି ସମ୍ମିଳନୀରେ ଇଣ୍ଟର ଡିସିପ୍ଲିନାରୀ ସହଯୋଗକୁ ବୃଦ୍ଧି କରିବା ସହ ଆନ୍ତର୍ଜାତୀୟ ଗବେଷଣା ସହଭାଗିତାକୁ ମଜବୁତ କରିବ ବୋଲି ଆଶା କରାଯାଉଛି। ଏହା ବିପିୟୁଟିକୁ ଏକ ବିଶ୍ୱସ୍ତରୀୟ ଗବେଷଣା କେନ୍ଦ୍ର ଭାବେ ଗଢ଼ିତୋଳିବା ସହ ଏକାଡେମିକ୍ ଏବଂ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବାରେ ସହାୟକ ହେବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଏହି ୩ ଦିନିଆ ବହୁ-ଆନ୍ତର୍ଜାତୀୟ ସମ୍ମିଳନୀ (୨୦୨୫ ଡିସେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ) ବିପ୍ଳବୀ ପ୍ରଯୁକ୍ତିବିଦ୍ୟାର ଉଦୀୟମାନ ଧାରା ଉପରେ ସମ୍ମିଳନୀ-୨୦୨୫ ରବିବାର ଦିନ ଉଦଯାପିତ ହୋଇଯାଇଛି।

