ରାଉରକେଲା ୦୨/୧,(ଉତ୍କଳ ସମାଚାର) ଶ୍ରୀ ରାମ ଶରଣଂ, ସବ୍ କୁଛ୍ ଛୋଡ, ସନତାନୀୟୋ କୋ ଯୋଡ, ସ୍ଲୋଗାନକୁ ପାଥେୟ କରି ରାଉରକେଲାର ହନୁମାନ ବାଟିକାରୁ ଆଜି ଆରମ୍ଭ ହୋଇଛି ଶ୍ରୀ ରାମ ସ୍ବର୍ଣ୍ଣ ଧନୁଶ୍ ଯାତ୍ରା। ରାଉରକେଲାର ସନାତନ ଜାଗରଣ ମଞ୍ଚ ପକ୍ଷରୁ ଦୀର୍ଘ ୮ ମାସର ପରିଶ୍ରମ ଏବଂ ୪୦ ଜଣ ତାମିଲନାଡୁ କାଞ୍ଚିପୁରମର କାରିଗରଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ଶ୍ରୀ ରାମ ସ୍ବର୍ଣ୍ଣ ଧନୁରେ ରହିଛି ସୁନା, ରୂପା, ଜିଙ୍କ୍, ଲୁହା ଓ ଆଲୁମିନିୟମ ଭଳି ପଞ୍ଚ ଧାତୁ। ୮ ଫୁଟ ଲମ୍ବ ଓ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଶ୍ରୀ ରାମ ସ୍ବର୍ଣ୍ଣ ଧନୁର ଓଜନ ୨୮୬ କେଜି ହୋଇଥିଲା ବେଳେ, ଏଥିରେ ୯୮୬ ଗ୍ରାମର ସୁନା ଏବଂ ୨.୫ କେଜି ରୂପା ବ୍ଯବହାର କରାଯାଇଛି। ରାଉରକେଲା ସନାତନ ଜାଗରଣ ମଞ୍ଚର ଅଧ୍ଯକ୍ଷ ସନ୍ତୋଷ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ହନୁମାନ ବାଟିକାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ସମ୍ମାନୀତ ଅତିଥି ଭାବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ବାବା କାଳିଦାସ ମହାରାଜ ଦୁଷ୍ଯନ୍ତ ଗୌତମ, ରଘୁନାଥପାଲ୍ଲୀ ପୂର୍ବତନ ବିଧାୟକ ସୁବ୍ରତ ତରାଇ, ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ, ହନୁମାନ ବାଟିକା ଚ୍ଯାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଶୁଭ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରୀ ନୃତ୍ୟ ସହିତ ଶ୍ରୀ ରାମଙ୍କ ବେଶରେ ସଜ୍ଜିତ ଜଣେ ବାଳକର ଉପସ୍ଥିତି ତଥା ହଜାର ହଜାର ଭକ୍ତଙ୍କ ସମାଗମରେ ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ ଧ୍ବନୀରେ ହନୁମାନ ବାଟିକା ପରିସରରୁ ଆରମ୍ଭ ହୋଇଥିଲା ଶ୍ରୀ ରାମ ସ୍ବର୍ଣ୍ଣ ଧନୁଶ୍ ଯାତ୍ରା। ଏକ ଟ୍ରଲର ଗାଡିରେ ସଜ୍ଜିତ ହୋଇଥିବା ଶ୍ରୀ ରାମ ସ୍ବର୍ଣ୍ଣ ଧନୁଶ୍ ଆଜି ରାଉରକେଲାରୁ ବାହାରି ୨୦୨୬ ଜାନୁଆରୀ ୩ ତାରିଖ ଦିନ ସକାଳ ୯ଟାରେ ସୁନ୍ଦରଗଡ, ଦିନ ୩ଟା ସମୟରେ ଝାରସୁଗୁଡ଼ା ସହର, ସନ୍ଧ୍ୟା ୭ଟାରେ ରେଙ୍ଗାଲି, ଜାନୁଆରୀ ୪ ତାରିଖ ସକାଳ ୯ଟାରେ ସମ୍ବଲପୁର ସହର, ଦିନ ୩ଟାରେ ଦେବଗଡ ସହର, ଜାନୁଆରୀ ୫ ତାରିଖ ସକାଳ ୯ଟାରେ ବୌଦ୍ଧ, ଦିନ ୩ଟାରେ ସୋନପୁର, ଜାନୁଆରୀ ୬ ତାରିଖ ସକାଳ ୯ଟାରେ ବରଗଡ, ଦିନ ୩ଟାରେ ବଲାଙ୍ଗୀର, ଜାନୁଆରୀ ୭ ତାରିଖ ସକାଳ ୯ଟାରେ ନୂଆପଡା, ଦିନ ୩ଟାରେ କଳାହାଣ୍ଡି, ଜାନୁଆରୀ ୮ ତାରିଖ ସକାଳ ୯ଟାରେ ନବରଙ୍ଗପୁର, ଦିନ ୩ଟାରେ ମାଲକାନଗିରି, ଜାନୁଆରୀ ୯ ତାରିଖ ସକାଳ ୯ଟାରେ କୋରାପୁଟ, ଦିନ ୩ଟାରେ ରାୟଗଡା, ଜାନୁଆରୀ ୧୦ ତାରିଖ ସକାଳ ୯ଟାରେ ପାରଳାଖେମୁଣ୍ଡି ଏବଂ ଦିନ ୩ଟାରେ ବ୍ରହ୍ମପୁର, ଜାନୁଆରୀ ୧୧ ତାରିଖ ସକାଳ ୯ଟାରେ ଫୁଲବାଣୀ ଏବଂ ଦିନ ୩ଟାରେ ନୟାଗଡ, ଜାନୁଆରୀ ୧୩ ତାରିଖ ସକାଳ ୯ଟାରେ ଘସିପୁରା ଏବଂ ଦିନ ୩ଟାରେ କେଉଁଝର, ଜାନୁଆରୀ ୧୪ ତାରିଖ ସକାଳ ୯ଟାରେ ରାମତୀର୍ଥ ଜସିପୁର ଏବଂ ଦିନ ୩ଟାରେ ବାରିପଦା, ଜାନୁଆରୀ ୧୫ ତାରିଖ ସକାଳ ୯ଟାରେ ବାଲେଶ୍ବର ଏବଂ ଦିନ ୩ଟାରେ ଭଦ୍ରକ, ଜାନୁଆରୀ ୧୬ ତାରିଖ ସକାଳ ୯ଟାରେ ଯାଜପୁର ଏବଂ ଦିନ ୩ଟାରେ କେନ୍ଦ୍ରାପଡା, ଜାନୁଆରୀ ୧୭ ତାରିଖ ସକାଳ ୯ଟାରେ ପାରାଦ୍ବୀପ, ଦିନ ୧ଟାରେ ଜଗତସିଂହପୁର ଏବଂ ଦିନ ୪ଟାରେ କଟକ, ଜାନୁଆରୀ ୧୮ ତାରିଖ ସକାଳ ୯ଟାରେ ଭୁବନେଶ୍ବର, ଜାନୁଆରୀ ୧୯ ତାରିଖ ଦିନ ସକାଳ ୯ଟାରେ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଜାନୁଆରୀ ୨୨ ତାରିଖରେ ଶ୍ରୀ ରାମ ସ୍ବର୍ଣ୍ଣ ଧନୁଶ୍ ଯାତ୍ରା ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସ୍ମରଣଯୋଗ୍ଯ ଯେ ପୂର୍ବରୁ ବଡ ଦୀପ ଏବଂ ବଡ ଲଡୁ ତିଆରି କରି ସନାତନ ଜାଗରଣ ମଞ୍ଚ ଖ୍ଯାତିଲାଭ କରିଛି।


