ରାଉରକେଲା ୪/୧,(ଉତ୍କଳ ସମାଚାର)ଇସ୍ପାତ ସହରର ସେକ୍ଟର-୭ ପୋଲିସ ସେକ୍ଟର ଅଞ୍ଚଳର ଏକ ଆବାସିକ କ୍ୱାର୍ଟରରୁ ଆଜବେଷ୍ଟସ୍ ଛାତ ଭାଙ୍ଗି ଚୋରି କରିଥିବା ଅଭିଯୋଗରେ ଜଡିତ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ସଫଳତାର ସହ ଗିରଫ କରିଛି। ଅଭିଯୁକ୍ତର ନାମ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ବୋଲି ଚିହ୍ନଟ କରାଯାଇଛି, ଯିଏ ଜଣେ ଜଣାଶୁଣା ଅପରାଧୀ। ପୋଲିସର ତଦନ୍ତ ଆଧାରରେ, ଅଭିଯୁକ୍ତଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର ଚୋରି ଜିନିଷ ଉଦ୍ଧାର କରାଯାଇଛି। ଯେଉଁ ଚୋରି ଜିନିଷ ମଧ୍ଯରେ ସୁନା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ୫ ହଜାର ଟଙ୍କା ରହିଛି। ପୋଲିସର ସୂଚନା ଅନୁଯାୟୀ, ଚୋରି ସେକ୍ଟର-୮ ଅଞ୍ଚଳରେ ଘଟିଥିଲା। ସେକ୍ଟର-୮ର ବାସିନ୍ଦା ରତ୍ନାକର କିଶାନ ତାଙ୍କ ସ୍ତ୍ରୀଙ୍କ ସହିତ ବଜାରକୁ ଯାଇଥିଲେ। ସେମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତମାନେ ସନ୍ଧ୍ୟାରେ ଘରର ଆଜବେଷ୍ଟସ୍ ଛାତ ଭାଙ୍ଗି ସୁନା ଅଳଙ୍କାର ଏବଂ ନଗଦ ନେଇ ପଳାଇ ଯାଇଥିଲେ। ତୁରନ୍ତ ତଦନ୍ତ କରାଯାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଏବଂ ତାଙ୍କ ପାଖରୁ ସମସ୍ତ ଚୋରି ସୁନା ଅଳଙ୍କାର ଏବଂ ନଗଦ ଜବତ କରାଯାଇଛି। ଅଭିଯୁକ୍ତର ଅନ୍ଯ ମାମଲାର ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଚାଲିଛି। ସେହିପରି, ଅନ୍ୟ ଏକ ଘଟଣାରେ, ସେକ୍ଟର-୧୯ ପୋଲିସ ଦୁଇ ଜଣ ଛିନତାଇଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ଲୁଟ ହୋଇଥିବା ବ୍ୟାଗ ଏବଂ ନଗଦ ଟଙ୍କା ମଧ୍ୟ ଜବତ କରିଛି। ସୂଚନା ଅନୁସାରେ ପୂଜା ନାମକ ଜଣେ ଯୁବତୀ ସେକ୍ଟର-୧୯ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁଇ ଅଭିଯୁକ୍ତ ଏକ ମୋଟର ସାଇକେଲରେ ଆସି ତାଙ୍କ ବ୍ୟାଗକୁ ଜୋରଜବରଦସ୍ତ ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।ଯୋଗକୁ ପୋଲିସ୍ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଭୟ ଛିନତାଇକାରୀଙ୍କୁ ଖୋଜି ବାହାର କରି ଗିରଫ କରାଯାଇଛି। ଏଥିସହିତ ଚୋରି ବ୍ୟାଗ ଏବଂ ଟଙ୍କା ମଧ୍ୟ ଜବତ କରିଛି ସେକ୍ଟର-୧୯ ପୋଲିସ୍। ଉଭୟ ମାମଲାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ବୋଲି ରାଉରକେଲା ପୋଲିସ୍ ପକ୍ଷରୁ ସେକ୍ଟର-୧୯ ଥାନାରେ ଥାନା ଅଧିକାରୀ ଏ ସାହୁ ଏବଂ ସେକ୍ଟର-୭ ଥାନାର ଥାନା ଅଧିକାରୀଙ୍କ ସହିତ ଡି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଏସପି ଯୋଗେଶ ପଣ୍ଡା।


