ରାଉରକେଲା:7//1,(ଉତ୍କଳ ସମାଚାର) ସହରର ଅନ୍ୟତମ କ୍ରୀଡା ସଂଗଠନ ସ୍ପୋର୍ଟସ ଫେଡେରେସନ ଅଫ୍ ରାଉରକେଲା ତରଫରୁ କୋଏଲନଗର ସ୍ଥିତ ଏ ବ୍ଲକ ଦୁର୍ଗାପୂଜା ପଡିଆଠାରେ ସପ୍ତମ କୋଏଲ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଆଜି ଠାରୁ ଆରମ୍ଭ ହୋଇଛି। ଏହି ଚମ୍ପିୟାନସିପ ରେ ପ୍ରାୟ ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି। ଉଦଘାଟନୀ ମ୍ୟାଚରେ ବିଦ୍ୟାଷ୍ଟଡି ସେଣ୍ଟର୍ ର ନିର୍ଦ୍ଦେଶକ ଅଜିତ କୁମାର ଦାସ ମୁଖ୍ୟଅତିଥି, ପ୍ରାକ୍ତନ ଉପନଗରପାଳ ରାଜେନ୍ଦ୍ର ନାରାୟଣ ମିଶ୍ର, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ର ଉପସଭାପତି କୁଞ୍ଜବିହାରୀ ରାଉତ, ଶିକ୍ଷକ ଅକ୍ଷୟ କୁମାର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କ୍ରୀଡା କିପରି ଆମ ଜୀବନର ଅବିଚ୍ଛେଦ ଅଙ୍ଗ, ଭାଇଚାରା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ରେ ସହାୟକ ତଥା ଶାରିରୀକ ଓ ମାନସିକ ସନ୍ତୁଳନ ରକ୍ଷା କରିବାରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ସୁମନ୍ତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ପ୍ରଧ୍ୟାପକ ରଶ୍ମିରଞ୍ଜନ ରାଉତଙ୍କ ସଂଯୋଜନାରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଏହା ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ କେବଳ ପୁରୁଷ ବିଭାଗରେ ଡବଲ ( ଯୁଗ୍ମ) ଖେଳାଳି ଭାଗନେଇ ପାରିବେ। ଏହି ପ୍ରତିଯୋଗିତାରେ ଚମ୍ପିୟାନ ଦଳକୁ ଚମ୍ପିୟାନ ଟ୍ରଫି ସହ ନଗଦ ୧୦ହଜାର ଟଙ୍କା, ରନର୍ସ ଅପ୍ ଦଳକୁ ରନର୍ସ ଟ୍ରଫି ସହ ନଗଦ ୬ ହଜାର ଟଙ୍କା ପୁରସ୍କାର ଦିଆଯିବ। ସେହିପରି ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଓ ଶ୍ରେଷ୍ଠ ଖେଳାଳିଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କାର ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାକୁ ପରିଚାଳନାରେ ଶଶାଙ୍କ ଶେଖର ଦାସ,ଶକ୍ତିକାନ୍ତ ରାଉଳକୁ, ତୁଷାରକାନ୍ତି ବେହେରା, ଅଶୋକ ରଥ,ସତିଶ ସାହୁ, ଶ୍ରୀମସ୍ମିତା ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।

