ରାଜଗାଙ୍ଗପୁର ୧୯/୧,(ଉତ୍କଳ ସମାଚାର) ସୁନ୍ଦରଗଡ ଜିଲ୍ଲାର ଲାଞ୍ଜିବେର୍ଣ୍ଣାରେ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ୍ ଦ୍ୱାରା ବେଆଇନ ଜମି ଅଧିଗ୍ରହଣ କରାଯାଇଥିବା ଅଭିଯୋଗରେ ସ୍ଥାନୀୟ ବାସିନ୍ଦାମାନେ ସୋମବାର ଦିନ ରାଉରକେଲା – ସମ୍ବଲପୁର ରାଜ୍ୟ ରାଜପଥ-୧୦କୁ ଅବରୋଧ କରି ଆନ୍ଦୋଳନ ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ, ପ୍ରତିବାଦକାରୀମାନଙ୍କ ପକ୍ଷରୁ ଆରୋପ କରାଯାଇଛି ଯେ, ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ ବେଆଇନ ଭାବେ ଅଧିକାର କରିଥିବା ଚାଷ ଜମିର ଉପଯୁକ୍ତ କ୍ଷତିପୂରଣ, ସମ୍ମତି ଏବଂ ଆଇନଗତ ପ୍ରକ୍ରିୟା ପାଳନ ନକରି ବେଆଇନ ଭାବରେ ଜମି ଅଧିଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଦାବି କରି, ଆନ୍ଦୋଳନକାରୀମାନେ ରାଜପଥରେ ବସି ରହି ଯାନବାହାନ ଚଳାଚଳ ବନ୍ଦ କରି ଦେଇଥିଲେ।ବରୋଧ ଫଳରେ, ଭାରୀ ଟ୍ରକ୍, ବସ୍ ଏବଂ ବ୍ୟକ୍ତିଗତ କାର ସମେତ ଶହ ଶହ ଯାନବାହାନ ରାସ୍ତାର ଉଭୟ ପାର୍ଶ୍ୱରେ କିଛି ଘଣ୍ଟା ଧରି ଅଟକି ରହିଥିଲେ। ଯାହା ଫଳରେ ଯାତ୍ରୀ ଏବଂ ପରିବହନ ଯାନର ଚାଳକମାନଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ବହୁ ଦୂର ପର୍ଯ୍ୟନ୍ତ ଯାନବାହାନର ଲମ୍ବା ଧାଡ଼ି ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଏହାର ସୂଚନା ପାଇ ରାଜଗାଙ୍ଗପୁର ପୋଲିସ ଷ୍ଟେସନରୁ ପୋଲିସ କର୍ମଚାରୀମାନେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଅବରୋଧ ହଟାଇବା ପାଇଁ ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆନ୍ଦୋଳନକାରୀ, ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ଜାରି ରହିଛି। ଯାହାଦ୍ୱାରା ସମସ୍ୟାର ସମାଧାନ ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇପାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ପୋଲିସ୍ ପ୍ରଶାସନର ପ୍ରୟାସ ପରେ ମଧ୍ୟ ଆନ୍ଦୋଳନକାରୀମାନେ ସେମାନଙ୍କର ଦାବିରେ ଅଟଳ ରହିଥିଲେ। ସେମାନଙ୍କର ଅଭିଯୋଗ ଅନୁଯାୟୀ ସମସ୍ଯାର ସମାଧାନ ଏବଂ ନ୍ୟାୟୋଚିତ ସମାଧାନ ନିଶ୍ଚିତ ନହେବା ପର୍ଯ୍ୟନ୍ତ ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀମାନଙ୍କ ପକ୍ଷରୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଜାରିରହିଛି ।

