ରାଉରକେଲା:19//1,(ଉତ୍କଳ ସମାଚାର) ରିଖ ଶ୍ରମିକ ବିରୋଧୀ ଶ୍ରମକୋଡ ବାତିଲ , ରାଷ୍ଟ୍ରାୟତ ଶିଳ୍ପର ଘରୋଇ କରଣ ବନ୍ଦ କରିବା , ମାସିକ ୨୮ହଜାର ଟଙ୍କା ସର୍ବନିମ୍ନ ମଜୁରୀ ଲାଗୁ , ରାଜ୍ୟରେ ୧୦ ଘଣ୍ଟିଆ ଶ୍ରମ ଦିବସ ଓ ମହିଳା ମାନଙ୍କୁ ରାତ୍ରିକାଳିନ କାର୍ଯ୍ୟାଦେଶ ବାତିଲ କରିବା ସହ ଅନ୍ୟାନ୍ୟ ଦାବୀରେ ଆସନ୍ତା ଫେବୃଆରୀ ୧୨ ଏଆଇଟିୟୁସି ସମେତ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଆଜି ଏଆଇଟିୟୁସି ଜିଲ୍ଲା କାର୍ଯ୍ୟାଳୟ ହରିବନ୍ଦୁ ଭବନ ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଆଇଟିୟୁସି ରାଜ୍ଯ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ , ରାଜ୍ଯ ସମ୍ପାଦକ ପ୍ରଦୋଷ ମହାନ୍ତି ,ବକ୍ତବ୍ୟ ଦେଇ ଶ୍ରମିକ , ଚାଷୀ , ଖଟିକିଆ , ମେହନତୀ ମଣିଷର ବିରୋଧୀ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଦେଶର ରେଲ , ଭେଲ୍ ,ଇସ୍ପାତ ଶିଳ୍ପ , ବ୍ୟାଙ୍କ , ଇନ୍ଶୁରନ୍ସ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ ଶିଳ୍ପ ଗୁଡିକୁ ବଡ଼ ବଡ଼ ପୁଞ୍ଜିପତି ମାନଙ୍କ ହାତରେ ବିକ୍ରି କରି ଚାଲିଛି । ଶ୍ରମ ଆଇନକୁ ପରିବର୍ତ୍ତନ କରି ବଳ ପୂର୍ବକ ଭାବେ ଶ୍ରମକୋଡ ଲାଗୁ କରୁଛି । ଏହା ଫଳରେ ଦେଶର କୋଟି କୋଟି ଶ୍ରମିକ ମାଲିକ ମାନଙ୍କ ଦ୍ୱାରା ଶୋଷିତ ହେବେ ଏବଂ ବେକାରୀ ସଂଖ୍ଯା ବଢ଼ିବ । ଏଣୁ ଏହା ବିରୁଦ୍ଧରେ ୧୨ ଫେବୃଆରୀ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଏଆଇଟିୟୁସି ର ସାଥୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ସଦାନନ୍ଦ ସାହୁ ବିଗତ ଦିନର କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଉପସ୍ଥାପନା କରିବା ସହ ଆଗାମୀ ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନ ରଖିଥିଲେ । ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ମାତିଲଦା କୁଲୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଏଆଇଟିୟୁସି ସହ ୧୩ଟି ୟୁନିୟନ ପ୍ରତିନିଧି ମାନେ ଯୋଗ ଦେଇ ଧର୍ମଘଟକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଏହି ବୈଠକରେ ରମେଶ ଷେଠୀ, କମଳ ଷଣ୍ତ , ସୀତାରାମ ପୁଷ୍ଟି, ବିନୟ କିଣ୍ଡୋ, ଗଣେଶ ବାଇକ, ସୁଶାନ୍ତ ଲେଙ୍କା, ପ୍ରମୋଦ ବେହେରା, ମାରିଆ ମିଜ୍ ପ୍ରମୁଖ ନେତୃତ୍ବ ଉପସ୍ଥିତ ଥିଲେ । ସବ୍ୟସାଚୀ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।

