ରାଉରକେଲା:22//1,(ଉତ୍କଳ ସମାଚାର) ଇସ୍ପାତ ସହରରେ ବିଦ୍ୟାର ଦେବୀ ମା’ ସରସ୍ୱତୀଙ୍କ ପୂଜାକୁ ନେଇ ମୂର୍ତ୍ତି ବିକ୍ରି ଜୋରସୋରରେ ଚାଲିଛି। ସେହିଭଳି ପୂଜା ସାମଗ୍ରୀ ଦୋକାନ ସମେତ ଫଳ ଓ ମିଠା ଦୋକାନରେ ମଧ୍ୟ କିଣାବିକା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବିଶେଷକରି ସହରର ବିଭିନ୍ନ ସ୍କୁଲ, କଲେଜ, କ୍ଲବ୍ ଏବଂ ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ମା’ ସରସ୍ୱତୀଙ୍କ ପୂଜା ବହୁ ଆଡମ୍ବରରେ ପାଳନ କରାଯିବ। ଏଥିପାଇଁ ଆଜି ସହରର ବଜାରଗୁଡ଼ିକରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି।ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇଁ ସୁଦୃଶ୍ୟ ପଣ୍ଡାଲ ସହ ତୋରଣ ନିର୍ମାଣ କରାଯାଇଛି। ସେହିପରି ବିଭିନ୍ନ କ୍ଲବ୍ ପକ୍ଷରୁ ମଧ୍ୟ ଭବ୍ୟ ମଣ୍ଡପ ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ବେଦବ୍ୟାସ ସ୍ଥିତ ସରସ୍ୱତୀ କୁଣ୍ଡ ନିକଟରେ ଥିବା ସରସ୍ୱତୀ ମନ୍ଦିରରେ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା ବହୁତ ଧୁମଧାମରେ କରାଯାଏ, ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ବଜାରରେ ପୂଜା ସାମଗ୍ରୀ କିଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

