ରାଉରକେଲା:27//1,(ଉତ୍କଳ ସମାଚାର) ସହର ପ୍ରଶାସନ ପକ୍ଷରୁ ଉଦିତନଗର ପଡ଼ିଆଠାରେ ୭୭ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଧବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ଶ୍ରୀ ଯାଧବ ଭାରତର ସମ୍ବିଧାନ ପ୍ରଣେତା ବାବା ଭୀମରାଓ ଆମ୍ବେଦକରଙ୍କୁ ମନେ ପକାଇବା ସହ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ଯ ଅତିଥି ଶ୍ରୀ ଯାଧବ କହିଥିଲେ ଯେ, ରାଉରକେଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏହାର ସାମାଜିକ ଚଳଣି ଓ ଭାଇଚାରାର ପରମ୍ପରା ନିଆରା ରହିଛି। ରାଉରକେଲା ମହାନଗର ନିଗମର ପ୍ରୟାସରେ ସହରର ପରିମଳ ବ୍ୟବସ୍ଥା ସୁଦୂଢ ହୋଇପାରିଛି। ସହରରେ ସ୍ବଚ୍ଛତା ଦିଗରେ କରାଯାଉଥିବା ବିଭିନ୍ନ ପଦକ୍ଷେପ ତଥା ସ୍ବଚ୍ଛ ରହିବା ସହରକୁ ପରିସ୍କାର ରଖିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହନ ସହିତ ଜନସଚେତନ କରିବା ପ୍ରସଂଶନୀୟ। ରାଉରକେଲାକୁ ଏକ ସ୍ବଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ସମସ୍ତେ ସହଯୋଗ କରିବାକୁ ଶ୍ରୀ ଯାଧବ ଆହ୍ବାନ ଦେଇଥିଲେ। ଏହା ବ୍ୟତୀତ ସେ କହିଥିଲେ ଯେ ୨୦୨୩ରେ ପୁରୁଷ ହକି ବିଶ୍ୱକପ୍, ହକି ପ୍ରୋ-ଲିଗ୍, ହକି ଇଣ୍ଡିଆ ଲିଗ୍ ରାଉରକେଲାରେ ସଫଳତାର ସହିତ ଆୟୋଜନ ପରେ ରାଉରକେଲା କ୍ରୀଡା ହବ ହୋଇପାରିଛି l ରାଉରକେଲାର ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ରିଜର୍ଭ ପୋଲିସର ସମିତ ସାମଲଙ୍କ ନେତୃତ୍ୱରେ ମିଳିତ ପ୍ୟାରେଡ ହୋଇଥିଲା। ପ୍ୟାରେଡରେ ୫୨ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ଯ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡ଼ା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ଏଥି ସହ ସ୍କୁଲ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନି, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ରାଉରକେଲା ମୁଖ୍ୟଜେଲର ଅନ୍ତେବାସୀ ଓ ରାଉରକେଲା ସରକାରୀ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ଶ୍ରୀକାନ୍ତ ଷଡଙ୍ଗୀ ପରିଚାଳନା କରିଥିଲେ। କାଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ଯାରେ ଜନ ସାଧାରଣ ଉପସ୍ଥିତ ଥିଲେl

