ରାଉରକେଲା ୨୯/୧,(ଉତ୍କଳ ସମାଚାର) ବାଲ୍ଯ ବିବାହ ପ୍ରଥା ଉଚ୍ଛେଦ କରାଯାଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ସଚେତନତା ଅଭାବରୁ ବାଲ୍ଯ ବିବାହ ମୁକ୍ତ ନହେବା ସହିତ ଏହାର କାର୍ଯ୍ୟକାରିତା ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଜିତା ଅନୁଷ୍ଠାନ ଆୟୋଜନରେ ଓ ଜଷ୍ଟ ରାଇଟସ୍ ଫର୍ ଚିଲଡ୍ରେନସ୍ ଏଲାଏନ୍ସ ସହାୟତାରେ ଆଜି ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ଯାଳୟ ଠାରୁ ଏକ ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ନିମନ୍ତେ ସଚେତନତା ରଥ ବାହାରି ରାଉରକେଲା ଟାଉନ୍ ପରିକ୍ରମା କରିବା ସହିତ ବିଭିନ୍ନ ବ୍ଳକ୍ କାର୍ଯ୍ୟାଳୟ ଏବଂ ଲହୁଣୀପଡା ବ୍ଲକର ୫୦ଟି ଗ୍ରାମକୁ ସଚେତନତା କରାଇବା ସହ ଗ୍ରାମ ସ୍ତରରେ ଓ ଗ୍ରାମପଞ୍ଚାୟତ ସ୍ତରରେ ସମସ୍ତ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ଯ ନେଇ ରଥ ଅଗ୍ରସର ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ, କଲେଜ୍ ପିଲା, ସ୍ବୟ୍ଂ ସହୀୟକ ଗୋଷ୍ଠୀର ମା, କିଶୋର, କିଶୋରୀ, ସରକାରୀ କର୍ମଚାରୀ, ବେସରକାରୀ ଲୋକ ମଧ୍ୟ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ଏହି ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା ରଥର ଶୁଭାରମ୍ଭ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମୀନାକ୍ଷୀ ନାୟକ, ଡିଏସ୍ପି ଗୁରୁବାରୀ ହେମ୍ବ୍ରମ ସବୁଜ ପତାକା ଦେଖାଇବା ସହିତ ଡିଏଲ୍ଓ ଗୋପାଳ ଚନ୍ଦ୍ର ମଙ୍ଗରାଜ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ। ଜିତା ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ମଧୁସ୍ମିତା ମହାପାତ୍ର ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ଅନୁଷ୍ଠାନର ରଜତ୍ ଓ ହରି ପ୍ରିୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଓଡିଶା ତଥା ରାଉରକେଲା ପୋଲିସ୍ ଜିଲ୍ଲାର ଲହୁଣୀପଡା ଅଞ୍ଚଳର ୫୦ଟି ଗ୍ରାମକୁ ୨୦୩୦ ସୁଦ୍ଧା ବାଲ୍ଯ ବିବାହ ମୁକ୍ତ କରିବା ପାଇଁ ଜିତା ଅନୁଷ୍ଠାନ ପକ୍ଷରୁ ଆଜି ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ଯାଳୟ ଠାରୁ ଏହି ସଚେତନତା ରଥ ବାହାର କରାଯାଇଛି। ଲହୁଣୀପଡା ଅଞ୍ଚଳର ୫୦ଟି ଗ୍ରାମକୁ ୪ ଦିନ ଧରି ସଚେତନତା କରାଇବା ପରେ, ସେଠାରୁ ଫେରିବା ଅନ୍ଯାନ୍ଯ ବ୍ଲକ୍ ଅଭିମୁଖେ ଯାତ୍ରା କରିବ। ଏହି କାର୍ଯ୍ୟକ୍ରମ ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନସ୍ ଲାଏନ୍ସ ସହଯୋଗରେ କରାଯାଉଛି ବୋଲି କହିଛନ୍ତି ଜିତା ଅନୁଷ୍ଠାନର ସଂଯୋଜିକା ମଧୁସ୍ମିତା ମହାପାତ୍ର। ଏକ ୧୦୦ ଦିନିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଯେଉଁ ଫୋକସ୍ ଭିଲେଜ୍ ରହିଛି, ସେମାନଙ୍କୁ ସଚେତନ କରାଯାଉଛି। ଏହି ବାଲ୍ଯ ବିବାହ ମୁକ୍ତ ସଚେତନ କାର୍ଯ୍ୟକ୍ରମ ଓଡିଶା ସମେତ ସମଗ୍ର ଭାରତ ବର୍ଷରେ କରାଯାଉଛି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି। ବାଲ୍ଯ ବିବାହ ମୁକ୍ତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି। ସେଥିମଧ୍ୟରୁ ଗାଁରେ ବୈଠକ, ସ୍କୁଲରେ ବୈଠକ, ଫେସ୍ ଲିଡର ଓ ପୂଜକମାନଙ୍କ ସହିତ ବୈଠକ, କ୍ଯାଟରିଂ ଓ ଟେଣ୍ଟ ହାଉସ୍ ମାଲିକମାନଙ୍କ ବୈଠକ କରାଯାଇ, ସେମାନଙ୍କୁ ସଚେତନ କରାଯାଉଛି ଯେ, ସେମାନେ ବାଲ୍ଯ ବିବାହକୁ ସହଯୋଗ ନକରି ଲୋକଙ୍କୁ ବୁଝାଇବା ସହିତ ସଚେତନ କରାନ୍ତୁ ବୋଲି କହିଛନ୍ତି ମଧୁସ୍ମିତା ମହାପାତ୍ର।

