ରାଉରକେଲା ୭/୨,(ଉତ୍କଳ ସମାଚାର):: ଆରଜିଏଚ୍ (ରାଉରକେଲା ସରକାରୀ ଡାକ୍ତରଖାନା)ରେ ୧୫ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କ ପୁନଃ ଥଇଥାନ ଦାବିକରି ହିନ୍ଦ ମଜଦୁର ସଭା ପ୍ରତିବନ୍ଧିତ ରାଉରକେଲା ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରାଉରକେଲା ସରକାରୀ ଚିକିତ୍ସାଳୟ ପରିସରରେ ଥିବା ଓଡିଶା ମେଡିକାଲ କର୍ମଚାରୀ ସଂଘ କାର୍ଯ୍ଯାଳୟ ପରିସରରେ ଆୟୋଜିତ କରାଯାଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ସରକାରୀ ଡାକ୍ତରଖାନାରୁ ଛଟେଇ ହୋଇଥିବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଗତ ୨୦୨୬ ଫେବୃଆରୀ ୧ ତାରିଖରୁ ଛଟେଇ କରିବା ପରିବର୍ତ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୫ ଜଣ କର୍ମଚାରୀଙ୍କୁ ପୁନର୍ବାର କାର୍ଯ୍ଯ ପ୍ରଦାନ କରିବା ପାଇଁ ଓଡିଶା ମେଡିକାଲ କର୍ମଚାରୀ ସଂଘ ଦାବିପତ୍ର ପ୍ରଦାନ କରାଯାଇଥିଲା। ମେଡିକାଲ କର୍ମଚାରୀ ସଂଘ ଅନେକ ଥର ସମସ୍ୟାର ସମାଧାନ ପାଇଁ ସୁଯୋଗ ଦେବା ସହିତ ସେମାନଙ୍କୁ ପୁନଃ ନିୟୋଜିତ କରିବାକୁ ଚେଷ୍ଟା କରିଛି କିନ୍ତୁ ଡାକ୍ତରଖାନା ପରିଚାଳନା କର୍ତ୍ତୃପକ୍ଷ ଏବଂ ଆଉଟସୋର୍ସିଂ ଏଜେନ୍ସି ଉଭୟ ସଂଘର ପ୍ରସ୍ତାବଗୁଡ଼ିକୁ ଏଡ଼ାଇ ଦେଇଛନ୍ତି। ଆହୁରି ମଧ୍ୟ ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଡାକ୍ତରଖାନା କତ୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା ଯେ ମାନବିକତା ଦୃଷ୍ଟିରୁ ସେମାନଙ୍କୁ ପୁନଃ ନିୟୋଜିତ କରନ୍ତୁ ବୋଲି । କାରଣ ସେମାନଙ୍କର ବୟସ ୬୦ ବର୍ଷରୁ ଅଧିକ ହୋଇନାହଁ।
ତେଣୁ ସଂଘ ପକ୍ଷରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅନୁରୋଧ କରାଯାଇଥିଲା ଯେ, ବାହାର କରାଯାଇଥିବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଆଜି ଅର୍ଥାତ ଫେବୃଆରୀ ୭ ତାରିଖ ସକାଳ ୧୦ଟା ୩୦ ମଧ୍ୟରେ ପୁନଃ ନିୟୋଜିତ କରିବା। ରାଉରକେଲା ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ସମସ୍ତ ଆଉଟସୋର୍ସିଂ କର୍ମଚାରୀ ଫେବୃଆରୀ ୧୦ ତାରିଖରୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବା ସହିତ ଧାରଣାରେ ଅଂଶଗ୍ରହଣ କରିବେ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ସମ୍ପାଦକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ଦିଗମ୍ବର ମହାନ୍ତି, ବାବୁଲା କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
