ହତ୍ଯାରେ ବ୍ଯବହୃତ ଛୁରୀ ସହ ଗୋଟିଏ ବୋଲେରୋ, ଗୋଟିଏ କାର ଓ ୫ ମୋବାଇଲ ଜବତ
ରାଉରକେଲା ୮/୨,(ଉତ୍କଳ ସମାଚାର): ଫେବୃୟାରୀ ୬ ତାରିଖ ସନ୍ଧ୍ୟା ପ୍ରାୟ ୯ଟା ୧୫ ସମୟରେ ରାଉରକେଲା ରେଳଷ୍ଟେସନ୍ ଅଞ୍ଚଳରେ ଥିବା ମଡର୍ଣ୍ଣ ଡିଲକ୍ସ ଶୌଚାଳୟ ପରିସରରେ ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ବାସିନ୍ଦା ତଥା ବର୍ତ୍ତମାନ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଗୋପବନ୍ଧୁପାଲ୍ଲିର ଅବିନାଶ ଯାଦବ (୩୪ ବର୍ଷ), ଯିଏ କି ଅଭିଯୋଗକାରୀ ଧର୍ମେନ୍ଦ୍ର ଯାଦବଙ୍କ ଚା’ ଦୋକାନରେ କାମ କରୁଥିଲେ, ଶୌଚକର୍ମ ଶେଷ କରିବା ପରେ ଅମର ଭବନ ନିକଟସ୍ଥ ମଡର୍ଣ୍ଣ ଡିଲକ୍ସ ସାର୍ବଜନିକ ଶୌଚାଳୟରୁ ବାହାରୁଥିବା ସମୟରେ, ହଠାତ୍ ତିନିଜଣ ଅଜଣା ଅଭିଯୁକ୍ତ ଧାରୁଆ ଛୁରୀ ଦ୍ବାରା ତାଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଅବିନାଶ ଯାଦବ ଗୁରୁତର ଆହତ ହୋଇଥିଲେ। ପରିଣାମ ସ୍ବରୂପ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗି ଭୟଙ୍କର ରକ୍ତସ୍ରାବ ହୋଇଥିଲା ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଜେ.ପି. ହସ୍ପିଟାଲ, ରାଉରକେଲାକୁ ନିଆଯାଇଥିଲା। ସେଠାରେ ଅବିନାଶ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

ଘଟଣା ପରେ ପ୍ଲାଣ୍ଟସାଇଟ ଥାନା ପକ୍ଷରୁ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ହତ୍ୟା ମାମଲାକୁ ୨୪ ଘଣ୍ଟା ମଧ୍ୟରେ ସଫଳତାର ସହ ତଦନ୍ତ କରାଯାଇଥିଲା । ଏହି ହତ୍ୟାରେ ଜଡିତ ଜଣେ ନାବାଳକ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିସହିତ ଅଭିଯୁକ୍ତମାନଙ୍କୁ ଲୁଚାଇ ରଖିବାରେ ସହଯୋଗ କରିଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରାଯାଇଛି। ଅପରାଧରେ ବ୍ୟବହୃତ ଅସ୍ତ୍ର ଏବଂ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗୋଟିଏ ବୋଲେରୋ ଏବଂ ଗୋଟିଏ କାରକୁ ମଧ୍ଯ ଜବତ କରାଯାଇଛି।
ଆଜି ଜିଲ୍ଲା ପୋଲିସ୍ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର, ଜୋନ୍-୨ ଡିଏସପି ଜେ. ସେଠୀ, ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ ବି. କେ. ପ୍ରଧାନ ପ୍ରମୁଖ ଏ ବିଷୟରେ ସୂଚନା ଦେଇଥିଲେ।
ହତ୍ଯା ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଗୋପବନ୍ଧୁପାଲ୍ଲୀ, କୁଳି ଖଟାଲ ବସ୍ତିର ମୋହିତ ବଜ୍ର (୧୯), ଗୋପବନ୍ଧୁପାଲ୍ଲି ଓ୍ବାର୍ଡ ନମ୍ବର-୩ର ଶୁଭମ ପାସୱାନ (୧୯) ବନ୍ଧମୁଣ୍ଡା ଥାନା ଅଧିନସ୍ଥ ବନ୍ଧମୁଣ୍ଡା ସେକ୍ଟର-ସି (ରେଲୱେ ଷ୍ଟେସନ ରୋଡ)ର ସିଧୁ ତାଣ୍ଡି ଓରଫ୍ ବିଟୁ (୨୪), ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଟିମ୍ବର କଲୋନୀ ବୈଷ୍ଣୋଦେବୀ ମନ୍ଦିର ପାଖର ରାଜବୀର ରାମ(୨୪), ଏବଂ ଜଣେ ନାବାଳକ(ଆଇନର ପ୍ରାବଧାନ ଅନୁସାରେ ନାମ ପ୍ରକାଶ ଯୋଗ୍ୟ ନୁହେଁ)।
ଅଭିଯୁକ୍ତଙ୍କ ନିକଟରୁ ହତ୍ଯାରେ ବ୍ଯବହୃତ ଗୋଟିଏ ଛୁରୀ ସହ ଗୋଟିଏ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋ (ରେଜିଷ୍ଟ୍ରେସନ ନମ୍ବର-OD-27A-1150), ଗୋଟିଏ ନୀଳ ରଙ୍ଗର ବାଲେନୋ କାର, (ରେଜିଷ୍ଟ୍ରେସନ ନମ୍ବର – OD-14AC-2490) ଏବଂ ବିଭିନ୍ନ ବ୍ରାଣ୍ଡର ପାଞ୍ଚଟି ମୋବାଇଲ ଫୋନ୍ ଜବତ୍ କରାଯାଇଛି।
ଅଭିଯୁକ୍ତ ସିଧୁ ତାଣ୍ଡି ଓରଫ୍ ବିଟୁ (୨୪)ଙ୍କ ନାମରେ ପୂର୍ବରୁ ବ୍ରାହ୍ମଣୀତରଙ୍ଗ, ବନ୍ଧମୁଣ୍ଡା, ରଘୁନାଥପାଲ୍ଲୀ, ଲାଠିକଟା, ଝିରପାଣି, ସେକ୍ଟର-୩ ଥାନାରେ ୩୬ଟି ଫୌଜଦାରୀ ମାମଲା ରହିଛି। ସେହିପରି ଅଭିଯୁକ୍ତ ଶୁଭମ୍ ପାଶୱାନ ନାମରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ଗୋଟିଏ ମାମଲା ରହିଥିଲା ବେଳେ ଅଭିଯୁକ୍ତ ରାଜଭୀର ନାମରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଓ ସେକ୍ଟର-୩ ଥାନାରେ ୪ଟି ମାମଲା ରହିଛି। ଏଠାରେ ସ୍ମରଣଯୋଗ୍ଯ ଯେ ନାବାଳକ ଅଭିଯୁକ୍ତର ମଧ୍ୟ ପ୍ଲାଣ୍ଟସାଇଟ୍ ଥାନାରେ ଗୋଟିଏ ମାମଲା ରହିଛି।
ଅଭିଯୁକ୍ତଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନାର ମାମଲା ନମ୍ବର – ୧୨୪, ତା ୭-୨-୨୦୨୬ ରିଖରେ ଭାରତୀୟ ନ୍ଯାୟ ସଂହିତାର ଧାରା ୧୦୩(୧)/୨୩୮(ଏ)/୨୪୯(ଏ)/୩(୫)ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ହତ୍ଯା ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ଉପ ପୁଲିସ ଅଧୀକ୍ଷକ(ଜୋନ-୨) ଜେ. ସେଠୀ, ପ୍ଲାଣ୍ଟସାଇଟ୍ ଥାନା ଭାରପ୍ରାପ୍ତ ନିରୀକ୍ଷକ ବି. କେ. ପ୍ରଧାନ (IIC), ପ୍ଲାଣ୍ଟସାଇଟ୍ ଥାନା ଉପ-ନିରୀକ୍ଷକ ସିଦ୍ଧାର୍ଥ ପ୍ରଧାନ, ଉପ-ନିରୀକ୍ଷକ ସିନ୍ମୟ ବଳ, ଗୋପବନ୍ଧୁପାଲ୍ଲୀ ବିଟ୍ ହାଉସ୍ ଭାରପ୍ରାପ୍ତ ସହାୟକ ଉପ-ନିରୀକ୍ଷକ ବସିଷ୍ଠ ନାଇକ ଏବଂ ହାଭିଲଦାର ହେଦାୟତଙ୍କ ସମେତ ମହମ୍ମଦକନେଷ୍ଟବଲ ଝସକେତନ ପ୍ରଧାନ ପ୍ରମୁଖ ତଦନ୍ତ କରିଥିଲେ।
