ରାଉରକେଲା ୯/୨,(ଉତ୍କଳ ସମାଚାର):: ଆସନ୍ତାକାଲି ୧୦ ତାରିଖ ଠାରୁ ୧୫ ତାରିଖ ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ପ୍ରୋ ଲିଗ୍ ୨୦୨୫-୨୬। ପ୍ରାୟ ଏକ ବର୍ଷ ପରେ ରାଉରକେଲାକୁ ଫେରୁଛି ଆନ୍ତର୍ଜାତିକ ହକି ମ୍ୟାଚ୍। ଏହି ହକି ପ୍ରୋ ଲିଗ୍ ୨୦୨୫-୨୬ ପ୍ରତିଯୋଗୀତାରେ ଭାରତ, ଆର୍ଜେଣ୍ଟିନା ଓ ବେଲଜିୟମ୍ ହକି ଦଳ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ହକି ଦଳରେ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଖେଳାଳି ଅମିତରୋହି ଦାସ , ଅମନଦୀପ ଲାକ୍ରା , ରୋଷନ୍ କୁଜୁର୍ , ଶିଳାନନ୍ଦ ଲାକ୍ରା , ନିଲମ୍ ସଂଜିପ ଖେସ୍ ସାମିଲ ଥିବାରୁ ରାଉରକେଲାର କ୍ରୀଡାବିତଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ୨୦୨୬ ଫେବୃଆରୀ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଏହି ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି କ୍ଯାପଟେନ୍ ହରମନପ୍ରୀତ ସିଂହ ଏବଂ ମୁଖ୍ୟ କୋଚ୍ କ୍ରେଗ୍ ଲୁକାସ୍ ରେ। ସେହିପରି ବେଲଜିୟମ୍ ହକି ଦଳର ନେତୃତ୍ବ ନେବେ କ୍ଯାପଟେନ୍ ଶେନ୍ ମେକ୍ ଲିଓଡ୍ ଏବଂ କୋଚ୍ ଆର୍ଥର୍ ଭାନ୍ ଡୋରେନ୍। ଆର୍ଜେଣ୍ଟିନା ହକି ଦଳର ନେତୃତ୍ବ ନେବେ କ୍ଯାପଟେନ୍ ଲୁକାସ୍ ରେ ଏବଂ କୋଚ୍ ମାତିଆସ୍ ରେ।

ଫେବୃଆରୀ ୧୦ ତାରିଖ ସନ୍ଧ୍ୟା ୭ଟା ୩୦ ସମୟରେ ବେଲଜିୟମ ବନାମ୍ ଆର୍ଜେଣ୍ଟିନା ମଧ୍ୟରେ ପ୍ରୋ ଲିଗ୍ ୨୦୨୫-୨୬ର ହକି ମ୍ୟାଚ୍ ଖେଳାଯିବ। ସେହିପରି ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୭ଟା ୩୦ ସମୟରେ ଭାରତ ବନାମ୍ ବେଲଜିୟମ୍ ମଧ୍ଯରେ ଦ୍ବିତୀୟ ଦିନର ହକି ମ୍ୟାଚ୍ ଖେଳାଯିବ। ଫେବୃଆରୀ ୧୨ ତାରିଖ ସନ୍ଧ୍ୟା ୭ଟା ୩୦ରେ ଭାରତ ବନାମ୍ ଆର୍ଜେଣ୍ଟିନା ମଧ୍ଯରେ ତୃତୀୟ ଦିନର ହକି ମ୍ଯାଚ୍ ଅନୁଷ୍ଠିତ ହେବ। ଫେବୃଆରୀ ୧୩ ତାରିଖ ସନ୍ଧ୍ୟା ୭ଟା ୩୦ ସମୟରେ ଆର୍ଜେଣ୍ଟିନା ବନାମ ବେଲଜିୟମ ମଧ୍ଯରେ ଚତୁର୍ଥ ଦିନର ହକି ମ୍ଯାଚ୍ ଅନୁଷ୍ଠିତ ହେବ। ଫେବୃଆରୀ ୧୪ ତାରିଖ ସନ୍ଧ୍ୟା ୭ଟା ୩୦ରେ ଭାରତ ବନାମ ବେଲଜିୟମ୍ ମଧ୍ଯରେ ପଞ୍ଚମ ଦିନର ମ୍ଯାଚ ଅନୁଷ୍ଠିତ ହେବାକୁ ଥିବାବେଳେ ଫେବୃଆରୀ ୧୫ ତାରିଖ ସନ୍ଧ୍ୟା ୭ଟା ୩୦ରେ ଭାରତ ବନାମ ଆର୍ଜେଣ୍ଟିନା ମଧ୍ଯରେ ହକି ପ୍ରୋ ଲିଗ୍ ୨୦୨୫-୨୬ର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନ୍ତିମ ମ୍ଯାଚ ଅନୁଷ୍ଠିତ ହେବ।
ଆଜି ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ବେଲଜିୟମ୍ କୋଚ୍ ଶେନ୍ ମେକ ଲିଓଡ୍ ଓ କ୍ଯାପଟେନ୍ ଅର୍ଥର ଭାନ ଡୋରେନ୍, ଆର୍ଜେଣ୍ଟିନା କୋଚ୍ ଲୁକାସ୍ ରେ ଓ କ୍ଯାପଟେନ୍ ମାତିଆସ ରେ ଏବଂ ଭାରତୀୟ ଦଳର କୋଚ୍ କ୍ରେଗ୍ ଲୁକାସ୍ ରେ ଓ କ୍ଯାପଟେନ୍ ହରମନପ୍ରୀତ ସିଂହ ଉପସ୍ଥିତ ରହି ସମସ୍ତ ପ୍ରୋ ଲିଗ୍ ମ୍ୟାଚରେ ଉତ୍ତମ ପ୍ରଦର୍ଶନ କରିବେ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ।
