ରାଉରକେଲା:13//2,(ଉତ୍କଳ ସମାଚାର) ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍(ପୁରୁଷ) ୨୦୨୫-୨୬ର ତୃତୀୟ ମ୍ଯାଚ ଭାରତ ବନାମ ଆର୍ଜେଣ୍ଟିନା ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ହକି ଦଳ ପ୍ରଥମ କ୍ବାର୍ଟରର ୧୪ ମିନିଟ ସମୟରେ ଦୁଇଟି ପେନାଲଟି ଷ୍ଟ୍ରୋକ ପାଇଥିଲେ ମଧ୍ୟ କୌଣସି ଗୋଲ୍ କରିବାକୁ ସକ୍ଷମ ହୋଇପାରି ନଥିଲେ। ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ପ୍ରଭାବ ବିସ୍ତାର କରି ଦୁଇଟି ଗୋଲ ସ୍କୋର କରିଥିଲା, ସେଥିମଧ୍ୟରୁ ଗୋଟିଏ ଫିଲ୍ଡ ଗୋଲ ହୋଇଥିଲା ବେଳେ ଅନ୍ୟଟି ପେନାଲଟି କର୍ଣ୍ଣର ମାଧ୍ୟମରେ ହୋଇଥିଲା। ଆଜି ଭାରତୀୟ ଖେଳାଳିଙ୍କ ମଧ୍ୟରେ ତାଳମେଳର ଅଭାବ ପରିଲକ୍ଷିତ ହୋଇଥିବା ଦେଖାଯାଇଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଆର୍ଜେଣ୍ଟିନା ୭-୦ ଗୋଲରେ ଅଗ୍ରଣୀଲାଭ କରିଥିଲା। ତୃତୀୟ କ୍ବାର୍ଟରରେ ଉଭୟ ଭାରତ ଓ ଆର୍ଜେଣ୍ଟିନା କୌଣସି ଗୋଲ୍ ସ୍କୋର କରି ପାରିନଥିଲେ। ଚତୁର୍ଥ କ୍ବାର୍ଟରରେ ଉଭୟ ଭାରତ ଓ ଆର୍ଜେଣ୍ଟିନା ପେନାଲଟି କର୍ଣ୍ଣରର ସୁଯୋଗ ପାଇଥିଲେ ମଧ୍ୟ ସୁଯୋଗର ସଦୁପଯୋଗ କରିପାରିନଥିଲେ। ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନାର ଡୋମେନେ ଟୋମାସ୍ ଆଉ ଗୋଟିଏ ଗୋଲ ସ୍କୋର କରି ୮-୦ ଗୋଲରେ ଭାରତକୁ ପରାସ୍ତ କରି ବିଜୟଲାଭ କରିଥିଲା।

