ରାଜଗାଙ୍ଗପୁର:17//2,(ଉତ୍କଳ ସମାଚାର) ରାଜଗାଙ୍ଗପୁର ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ାକ୍ତର ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତ ପାଲ କୌର ଯୋଗ ଦେଇ ଜନସାଧାରଣଙ୍କର ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ମୋଟ ୯୪ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୪୬ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା ବେଳେ ୪୫ଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୬ଟି ଅଭିଯୋଗର ତତକ୍ଷଣାତ ସମାଧାନ କରାଯାଇଥିଲା। ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୩ଟି ଆବେଦନ ରହିଥିଲା। ଆଜିର ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପିଏ ଆଇଟିଡିଏ ଧିରେନ୍ଦ୍ର ସେଠୀ ତଥା ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

