ସମ୍ବଲପୁର,୧୮/୦୨(ଉତ୍କଳ ସମାଚାର),(ସରୋଜ ସାହୁ): ଜୀବନ ଥିବା ପର୍ଯ୍ୟନ୍ତ ଜନ ସେବା ଏବଂ କଲମ ମାଧ୍ୟମରେ ସମାଜର ସ୍ୱର ସାଜିଥିଲେ। ଆଉ ମୃତ୍ୟୁ ପରେ ମଧ୍ୟ ନିଜର ଶରୀରକୁ ଦାନ କରି ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର। ତାଙ୍କର ଏହି ମହାନ ବଦାନ୍ୟତା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଶିବ ପ୍ରସାଦ ମେହେର ଏବଂ ତାଙ୍କ ଧର୍ମପତ୍ନୀ ପୂର୍ବରୁ ମୃତ୍ୟୁ ପରେ ନିଜର ସର୍ବାଙ୍ଗ ଶରୀର ଦାନ କରିବା ପାଇଁ ଘୋଷଣା କରିଥିଲେ। ତାଙ୍କର ସେହି ଶେଷ ଅଭିଳାଷ ଅନୁଯାୟୀ, ଆଜି ପରିବାର ପକ୍ଷରୁ ତାଙ୍କ ମରଶରୀରକୁ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ କୁ ହସ୍ତାନ୍ତର କରାଯାଇଛି।ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ତାଙ୍କ ପାର୍ଥିବ ଶରୀରକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅର୍ପଣ କରାଯାଇଥିଲା। ତାଙ୍କ ପୁତ୍ର ଅପୂର୍ବ ମେହେର, ବରିଷ୍ଠ ସାମ୍ବାଦିକ ପ୍ରିୟ ରଞ୍ଜନ ସାହୁ ମେଡିକାଲ କଲେଜରୁ ଏ ସମ୍ପର୍କିତ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଜଣେ ସାମ୍ବାଦିକ ଭାବେ ସମାଜ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତା ମୃତ୍ୟୁ ପରେ ବି ଅତୁଟ ରହିଥିବାରୁ ସାଧାରଣରେ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି। ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଉତ୍ସର୍ଗ ଭବନ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା I ସ୍ୱର୍ଗତ ମେହେରଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ସାମ୍ବାଦିକ ଭବାନୀ ଭୋଇ ଙ୍କ ପରିଚାଳନା ରେ ସାମ୍ବାଦିକ ଶିବ ନନ୍ଦ, ରାଜାରାମ ପାଢ଼ୀ, ଉତ୍ସର୍ଗ ର ସୁଧୀର ପୂଜାରୀ, ସାମ୍ବାଦିକ ସଞ୍ଜୟ ଜେନା, ରତ୍ନାକର ଭୋଇ, ରାଜେଶ ବିଭାର, ପ୍ରମୋଦ ବହିଦାର, ସରୋଜ ସାହୁ, ସୁକାନ୍ତ କର, ଗୁଣ ମଣି ବିଶ୍ୱାଳ, ମଳୟ ଭୋଇ, ସରୋଜ ସେଠ୍ ପ୍ରମୁଖ ସ୍ମୃତି ଚାରଣ କରିଥିଲେ I

