କେନ୍ଦୁଝର ୨୦.୦୨:(ଉତ୍କଳ ସମାଚାର) ସରକାରୀ କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଏବଂ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଗତ ୧୮.୦୨.୨୦୨୬ ତାରିଖ ଦିନ ଏକ ଦିନିକିଆ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। “ପରିଚାଳନାଗତ ଉତ୍କର୍ଷତା ପାଇଁ ଏଆଇ ଉପକରଣ” ଶୀର୍ଷକ ଏହି କର୍ମଶାଳା ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତା ଟୁଲ୍ସର ବ୍ୟବହାର କରି କିଭଳି କାର୍ଯ୍ୟଦକ୍ଷତା ବଢ଼ାଯାଇପାରିବ, ସେ ନେଇ ବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିଶେଷ କରି ତଥ୍ୟ ବିଶ୍ଳେଷଣ, ଚିଠିପତ୍ର ପ୍ରସ୍ତୁତି,ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଡିଜିଟାଲ୍ ମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା।ସୋସିଆଲ ମିଡିଆ ଓ ଜନସମ୍ପର୍କ ପାଇଁ ‘ପୋଷ୍ଟ ମାଇଣ୍ଡ ଏଆଇ ଏହି ଅବସରରେ ପ୍ରଶାସନିକ ଅଧିକାରୀମାନଙ୍କୁ ସୋସିଆଲ ମିଡିଆ ପରିଚାଳନା ପାଇଁ ପୋଷ୍ଟମାଇଣ୍ଡ ଏଆଇ ‘ ଭଳି ଆଧୁନିକ ଉପକରଣ ବିଷୟରେ ଅବଗତ କରାଯାଇଥିଲା। ଏହି ଟୁଲ୍ ମାଧ୍ୟମରେ କିଭଳି ସହଜରେ ଆକର୍ଷଣୀୟ କ୍ୟାପ୍ସନ ଲେଖାଯାଇପାରିବ, ଗ୍ରାଫିକ୍ସ ଡିଜାଇନ୍ କରାଯାଇପାରିବ ଏବଂ ଏକାସାଙ୍ଗରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସରକାରୀ ସୂଚନା ପ୍ରସାରିତ ହୋଇପାରିବ, ସେଥିପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।
