କେନ୍ଦୁଝର, ୮.୦୩: (ଉତ୍କଳ ସମାଚାର) ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାରଙ୍କର ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। କେନ୍ଦୁଝର ଜିଲ୍ଲାସ୍ତରୀୟ ଉତ୍ସବରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଅତିଥିବୃନ୍ଦ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଫଟୋଚିତ୍ର ସମ୍ମୁଖରେ ଜ୍ୟୋତି ପ୍ରଜ୍ବଳନ କରିଥିଲେ। ମନୋଜ ମଞ୍ଜରୀ ଶିଶୁ ଭବନ ର କୁନି କୁନି ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ସୁଭଦ୍ରା ଯୋଜନା ୪ର୍ଥ କିସ୍ତି ଅର୍ଥରାଶି ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୦୨ କୋଟି ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫,୦୦୦ ଟଙ୍କା ଲେଖାଏଁ ପଠାଯିବ। ଜିଲ୍ଲାର ହଜାର ହଜାର ମହିଳାଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା “ଗିଫ୍ଟ ଟୂ ଗିଭ ” ବାର୍ତ୍ତା। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ସରକାର ଦେଉଥିବା ଏହି ସହାୟତା ମା’ ମାନଙ୍କ ପାଇଁ କେବଳ ଏକ ଅର୍ଥରାଶି ନୁହେଁ, ବରଂ ଏକ ଉପହାର। ଏହି ଉପହାର ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇ ନିଜ ପରିବାର ଓ ସମାଜର ଉନ୍ନତି ପାଇଁ ସହଯୋଗର ହାତ ବଢ଼ାଇବେ। ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪ ଲକ୍ଷ ୪୦ହଜାର ମହିଳାଙ୍କୁ ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସମଗ୍ର ରାଜ୍ୟରେ ଏହି ଯୋଜନା ପାଇଁ ସରକାର ୫୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ସାଧାରଣ ଲୋକଙ୍କ ଘର ପାଖରେ ପହଞ୍ଚିବ ଏବଂ ପ୍ରତିଟି ପରିବାର ଉପକୃତ ହେବେ, ତାହାହିଁ ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ସାମାଜିକ ମର୍ଯ୍ୟାଦା ବୃଦ୍ଧି କରିବାରେ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି ଆଶା କରାଯାଇଛି ।
ଏହି ଅବସରରେ ପୁରୀଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ନାରୀ ମାନଙ୍କ ଉନ୍ନତି ବିନା ବିଶ୍ୱର ପ୍ରଗତି ଅସମ୍ଭବ। ସୁଭଦ୍ରା ଯୋଜନା ହେଉଛି ନାରୀ ଶକ୍ତିର ଏକ ନିଚ୍ଛକ ପ୍ରତିଛବି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ‘ପାଞ୍ଚଦଳ’ ଅବସରରେ ଏହି ସହାୟତା ପ୍ରଦାନ କରାଯାଉଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ‘ଲକ୍ଷପତି ଦିଦି’ ମାନଙ୍କର ସଫଳତାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ୩୧ ରୁ ୪୦ ବର୍ଷ ବୟସର ମହିଳାମାନେ ଦକ୍ଷତା ବୃଦ୍ଧି କରି ସଫଳ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ିତୋଳିବେ ବୋଲି ଆଶା ପ୍ରକଟ କରିଥିଲେ। ଏହି ଯୋଜନା ମହିଳାମାନଙ୍କୁ ଘରୁ ଗୋଡ଼ କାଢ଼ିବା ପାଇଁ ସାହସ ଦେଇଛି। ଆଜି ର ଏହି ଦିନ ରେ ମୁଖ୍ୟମନ୍ତ୍ରୀ “କନ୍ୟା ସୁମଙ୍ଗଳା ଯୋଜନା’ ବିଷୟରେ ଅବଗତ କରାଇ ଗରିବ ପରିବାରର କନ୍ୟା ସନ୍ତାନମାନଙ୍କ ଶିକ୍ଷା ପାଇଁ ୨୦,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି। ଝିଅମାନେ ପରିବାର ପାଇଁ ବୋଝ ନୁହଁନ୍ତି, ବରଂ ସେମାନେ ଏକ ଆଶୀର୍ବାଦ। ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ହେଉଥିବା ଖର୍ଚ୍ଚ ଏଣିକି ସରକାର ବହନ କରିବେ। ଏହି ଅର୍ଥରାଶି କନ୍ୟା ସନ୍ତାନଙ୍କ ପାଠପଢ଼ା ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ବ୍ୟବହାର କରାଯିବ।
କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଵିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ, ସମାଜ କଲ୍ୟାଣ ଅଧିକାରୀ ସବିତା ଦାସ ଉପସ୍ଥିତ ଥିଲେ।

