କେନ୍ଦୁଝର ୮.୦୩:(ଉତ୍କଳ ସମାଚାର) ଓଡ଼ିଶା ସରକାରଙ୍କ ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ କେନ୍ଦୁଝରଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ ଯୋଗଦେଇ ବଜେଟର ବିଭିନ୍ନ ଦିଗ ଓ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଥମେ ସେ ଆନ୍ତର୍ଜାତିକ ମହିଳା ଦିବସ ର ଶୁଭେଚ୍ଛା ଦେଇଥିଲେ। ଏହାପରେ ବଜେଟ ସମ୍ପର୍କ ରେ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଆଖିରେ ରଖି ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଛି। ଏହି ବଜେଟରେ ଶିକ୍ଷା, ସାମାଜିକ ସୁରକ୍ଷା, ନାଗରିକ ସେବା, ଗ୍ରାମୀଣ ବିକାଶ ଓ ପ୍ରଶାସନିକ ସଂସ୍କାର ପରି ୬ଟି ପ୍ରମୁଖ ସ୍ତମ୍ଭ ଉପରେ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ଅଭିବୃଦ୍ଧି ଓ ପୁଞ୍ଜି ବିନିଯୋଗରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ପୁଞ୍ଜି ନିବେଶକୁ ୫୮% ବୃଦ୍ଧି କରାଯାଇଛି। ରାଜ୍ୟର ସକଳ ଘରୋଇ ଉତ୍ପାଦ ବର୍ତ୍ତମାନ ୪୨,୯୫୨ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୨% ଅଧିକ। ସରକାରୀ ଖର୍ଚ୍ଚକୁ ସନ୍ତୁଳିତ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରଖାଯାଇଛି। ନୂଆ ଆମ୍ବୁଲାନ୍ସ ସେବା ଏବଂ ସ୍ୱାସ୍ଥ୍ୟ କାର୍ଡ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରତିଟି ନାଗରିକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ମହିଳା ଓ ଶିଶୁ କଲ୍ୟାଣମହିଳାଙ୍କ ସଶକ୍ତିକରଣ ପାଇଁ ୫୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି। ‘ମିଶନ ଶକ୍ତି’ ପାଇଁ ୨୮୦୪ କୋଟି ଟଙ୍କା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ‘ମଡେଲ ସ୍କୁଲ’ ଏବଂ ‘ଏକଲବ୍ୟ ବିଦ୍ୟାଳୟ’ର ଉନ୍ନତିକରଣ ପାଇଁ ବଡ଼ ଅଙ୍କର ପାଣ୍ଠି ବରାଦ ହୋଇଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ‘ସମଗ୍ର ଶିକ୍ଷା’ ଯୋଜନାରେ ୩,୮୦୫ କୋଟି ଟଙ୍କା ରଖାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧,୨୨୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହାଦ୍ୱାରା କେନ୍ଦୁଝର ଜିଲ୍ଲାବାସୀ ଉପକୃତ ହେବେ । ନିଯୁକ୍ତି ଓ ବୈଷୟିକ ବିକାଶରାଜ୍ୟରେ ୫୦,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଆଧୁନିକ ଯୁଗ ସହ ତାଳ ଦେଇ ସବୁ କ୍ଷେତ୍ରରେ ଏଆଇ ଵା କୃତ୍ରିମ ବୁଦ୍ଧିମତ୍ତା କୁ ଗୁରୁତ୍ୱ ଦିଆଯାଉଛି। ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ଇନଷ୍ଟିଚ୍ୟୁଟ୍ ମାଧ୍ୟମରେ “ଦକ୍ଷତା ବିକାଶ’ ପ୍ରୋଗ୍ରାମ ଚାଲିଛି। ଏଥିସହ ଶିଳ୍ପ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ପାଇଁ “ଶିଳ୍ପ ରକ୍ଷଣାବେକ୍ଷଣ” ପାଣ୍ଠି ଗଠନ କରାଯାଇଛି। କେନ୍ଦୁଝର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଡିପିଆର ପ୍ରସ୍ତୁତ କରାଯାଇଛି। ପୂର୍ବ ସରକାରଙ୍କ ଅଧା ରହିଥିବା କାମଗୁଡିକୁ ତୁରନ୍ତ ଶେଷ କରିବାକୁ କାର୍ଯ୍ୟ ଜାରି ରହିଛି। ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଅଧୀନରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କଫି ଚାଷ ପାଇଁ ୧୫୦ କୋଟି ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ୨୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । କେନ୍ଦୁଝର ଜିଲ୍ଲାରେ ଚାଷୀମାନଙ୍କ ପାଇଁ ଆଧୁନିକ ଗୋଦାମ ଘର ଓ ମଡେଲ ମଣ୍ଡି ନିର୍ମାଣ କରାଯିବ। ଏଥିସହ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ପାଇଁ ୨,୦୩୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଏବଂ ବୁଣାକାରଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଯୋଜନା’ କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲାରେ ଜଳସେଚନ ସୁବିଧା ପାଇଁ ୨୦,୦୦୦ ଗଭୀର ନଳକୂପ ଖନନ ଏବଂ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଅନେକ ନୂତନ ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ। ଜଳ ଜୀବନ ମିଶନ’ ଏବଂ ‘ସୁଜଳା’ ଯୋଜନା ମାଧ୍ୟମରେ କେନ୍ଦୁଝରର ପ୍ରତିଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାକୁ ଏକ “ପର୍ଯ୍ୟଟନ ସ୍ଥଳୀ’ ଭାବେ ଗଢିବାକୁ ବହୁ ନୂତନ ପଦକ୍ଷେପ ନିଆଯାଇଛି। ଯୁବପିଢ଼ିଙ୍କ ଉନ୍ନତି ପାଇଁ କ୍ରୀଡ଼ା କ୍ଷେତ୍ରରେ ୧,୩୫୯ କୋଟି ଟଙ୍କା ବ୍ୟୟ କରାଯିବ, ଯାହାଦ୍ୱାରା ଜିଲ୍ଲାର କ୍ରୀଡ଼ାବିତ୍ମାନେ ଉନ୍ନତ ପ୍ରଶିକ୍ଷଣ ଓ ଭିତ୍ତିଭୂମି ପାଇପାରିବେ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ ଓ ସଂରକ୍ଷଣ କାର୍ଯ୍ୟ କରାଯିଵା କୁ ଯୋଜନା କରାଯାଇଛି । ଏହି ବଜେଟ୍ ଓଡ଼ିଶାର ଗ୍ରାମୀଣ ଏବଂ ସହରାଞ୍ଚଳର ବିକାଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହ ରାଜ୍ୟକୁ ଏକ ନୂତନ ଶିଖରରେ ପହଞ୍ଚାଇବ ବୋଲି ଆଶା କରାଯାଉଛି। ଏହି ସମ୍ମିଳନୀରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ବଜେଟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲା କିପରି ବିକାଶର ନୂଆ ଶିଖର ଛୁଇଁବ, ସେ ନେଇ ମତାମତ ରଖିଥିଲେ।

