ସମ୍ବଲପୁର,୧୧/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ତୁମେରମୂଣ୍ଡା ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଯୁବକଙ୍କ ପ୍ରାଣହାନି ଘଟିଥିବା ବେଳେ ଦୁର୍ଘଟଣା ପରେ ଉଭୟ ଗାଡ଼ି ଜଳି ପାଉଁଶ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକ ମାନେ ହେଲେ ବୁଲୁ ଇଣା (୨୦, ଗଉଡପାଲି), ରାମନ୍ତ୍ରିତ ସିଂହ (୧୮, ବିଶ୍ଵାଳପାଲି) ଓ ସୁଜିତ ଲାଗ୍ୟ (୧୭, ପତ୍ରପାଲି) ବୋଲି ଜଣାଯାଇଛି I ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ୩ ଯୁବକ ଏକ ବାଇକ୍ (OD 15 AE 0245) ଯୋଗେ ଜମନକିରାରୁ ଏକ ବିବାହ ଉତ୍ସବକୁ ଫେରୁଥିଲେ। ଏହି ସମୟରେ ସମ୍ବଲପୁର ପଟୁ ଆସୁଥିବା ଏକ କଣ୍ଟେନର (UP 86 T 3725) ସହ ସେମାନଙ୍କର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଯୁବକମାନେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ପୁଲିସ ସେମାନଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ କଣ୍ଟେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ବାଇକଟି କଣ୍ଟେନର ଚକ ତଳେ ଚାପି ହୋଇ ରହିଥିବାରୁ ସେଥିରେ ମଧ୍ୟ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜମନକିରା ଥାନା ଆଇଆଇସି ସନ୍ତୋଷ ସ୍ମାଇଁଙ୍କ ସୂଚନା ଅନୁସାରେ, ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

