ରାଉରକେଲା ୧୮/୩,(ଉତ୍କଳ ସମାଚାର):: ଉତ୍କଳ ଦିବସ ତଥା ଓଡ଼ିଶା ଦିବସ ପାଳନ ଉପଲକ୍ଷେ ଆଜି ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷା ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଳେ ମହାନଗର ନିଗମ ଡେପୁଟି କମିଶନର ଶ୍ରୀମତୀ ଅନୀତା ନାୟକ, ଡେପୁଟି କମିଶନର ଶ୍ରୀମତୀ ପଲ୍ଲବୀ ନାୟକ, ରାଉରକେଲା ଡେପୁଟି କଲେକ୍ଟର ଶ୍ରୀମତୀ ପ୍ରଦଭ୍ଯା ବଡପଣ୍ଡା, ଆଡିସନାଲ ସବ-କଲେକ୍ଟର ଶ୍ରୀମତୀ ଚାନ୍ଦିନୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

ଆଗାମୀ ଉତ୍କଳ ପାଳନ ଉପଲକ୍ଷେ ଏହି ପ୍ରସ୍ତୁତି ବୈଠକରେ ଉତ୍କଳ ଦିବସ ବା ଓଡ଼ିଶା ଦିବସ ସମସ୍ତ ଓଡ଼ିଆବାସୀଙ୍କ ପାଇଁ ଗର୍ବ, ଗୌରବ ତଥା ସମ୍ମାନର ଦିବସ ହୋଇଥିବାରୁ ଏହି ଦିବସଟିକୁ ମହାସମାରୋହରେ ପାଳନ ନିମନ୍ତେ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଥା ଜାତୀୟ ଦିବସ ପାଳକ କମିଟିର ଆବାହକ ଶ୍ରୀମତୀ ସୀମା ଫାତିମା ଏକ୍କା, ବିଗତ ବର୍ଷର କାର୍ଯ୍ୟକ୍ରମର ବିବରଣୀ ସଭାଗୃହରେ ଉପସ୍ଥାପନ କରିବା ସହ ଓଡ଼ିଶା ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ସଭ୍ୟ ଓ ସଭ୍ୟମାନଙ୍କୁ ଅନୁରୋଧ କରିଥିଲେ। ସବିଶେଷ ଆଲୋଚନା ପରେ ଉତ୍କଳ ଦିବସ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପରି ଗୃହିତ ହୋଇଥିଲା।
ଉତ୍କଳ ଦିବସ ଦିନ ସକାଳ ସମୟରେ ସମଗ୍ର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ଉତ୍କଳ ଜନନୀଙ୍କ ବନ୍ଦନା ପରିବେଷଣ କରାଯିବା ସହିତ ଶୋଭାଯାତ୍ରା ପ୍ରାତଃ ୭ଟା ସମୟରେ ସହରର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜୁନିୟର୍ ରେଡକ୍ରସ, ସ୍କାଉଟ୍ ଓ ଗାଇଡ୍, ଦେସାମରିକ ପ୍ରତିରକ୍ଷା ବାହିନୀ, ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ବେଦବ୍ୟାସ ଗୁରୁକୁଳ ଆଶ୍ରମର ଅନ୍ତେବାସୀ କଥା ସହରରେ ଥିବା ବିଭିନ୍ନ ଅନୁଷ୍ଠାନର ସଭ୍ୟ ଓ ସଭ୍ୟାମାନଙ୍କୁ ନେଇ ଏକ ଶୋଭାଯାତ୍ରା ଆମ୍ବେଦକର ଛକ ନିକଟରୁ ବାହାରି ରାଉରକେଲା ମୁଖ୍ୟ ରାସ୍ତା ଦେଇ ମଧୁସୂଦନ ଛକ ନିକଟରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳ ନିକଟରେ ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ପହଞ୍ଚିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା | ସେକ୍ଟର ଅଞ୍ଚଳରେ ଥିବା ବିଭିନ୍ନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ଶୋଭାଯାତ୍ରାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ସମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟ, ନିଜ ନିଜ ଅନୁଷ୍ଠାନର ବସ୍ ବା ଗାଡ଼ି ବ୍ୟବହାର କରିବେ। ଶୋଭାଯାତ୍ରାରେ କେବଳ ଉଚ୍ଚବିଦ୍ୟାଳୟ ସ୍ତରୀୟ ଏବଂ ତଦୁର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ସ୍ଥିର କରାଯାଇଥିଲା।
ପୂର୍ବବର୍ଷ ଭଳି ଉଦିତନଗର ଠାରୁ ଡେଲିମାର୍କେଟ୍ ଏବଂ ବିର୍ସା ଛକ ମଧ୍ୟରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ସମ୍ପୃକ୍ତ ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏହି ଶୋଭାଯାତ୍ରାରେ ସାମିଲ ହେବେ । ଏହି ରାସ୍ତାରେ ଥିବା ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଶୋଭାଯାତ୍ରାରେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା। ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପଦାଧିକାରୀ ଏବଂ କର୍ମଚାରୀମାନଙ୍କୁ ଏହି ଶୋଭାଯାତ୍ରାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଥିଲା।
ଓଡ଼ିଶା ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ପୂର୍ବବର୍ଷ ଭଳି ଏକ କମିଟି ଗଠନ କରାଯାଇ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ସମସ୍ତ ସଭ୍ୟ ଓ ସଭ୍ୟାଙ୍କୁ ଅନୁରୋଧ କରାଯାଇଛି।
ଶୋଭାଯାତ୍ରାରେ ଅଂଶଗ୍ରହଣକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଉତ୍ତମ ଶୃଙ୍ଖଳା ପ୍ରଦର୍ଶନ କରିଥିବା ଏବଂ ପ୍ଲାକାର୍ଡ ମାଧ୍ୟମରେ ସ୍ଲୋଗାନ ଲେଖିଥିବା ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରାଯିବା ସକାଶେ ସ୍ଥିର କରାଯାଇଛି। ପୂର୍ବବର୍ଷ ଭଳି ଏଥିମଧ୍ୟରୁ ଶ୍ରେଷ୍ଠ ଅନୁଷ୍ଠାନକୁ ନିର୍ଣ୍ଣୟ କରିବା ପାଇଁ ବିଚାରକମଣ୍ଡଳୀ ଗଠନ କରାଯିବା ସହିତ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକ ମଧ୍ୟରୁ ସର୍ବୋତ୍କୃଷ୍ଟ ୩ଟି ମେଢ ନିର୍ଣ୍ଣୟ କରିବା ପାଇଁ ବିଚାରମଣ୍ଡଳୀଙ୍କୁ ଅନୁରୋଧ କରାଯାଇଥିଲା।
ସେହି ବିଚାରକମଣ୍ଡଳୀ ସଦସ୍ୟ ଭାବରେ ଆଇନଜୀବୀ ଗିରିଜା ଶଙ୍କର ଦ୍ବିବେଦୀ, ସୁଶାନ୍ତ କୁମାର ତ୍ରିପାଠୀ, ସମାଜସେବୀ ଜ୍ଞାନରଞ୍ଜନ ମିଶ୍ର ଏବଂ ସୁନାକର ନାୟକଙ୍କୁ ସ୍ଥିର କରାଯାଇଛି।
