ରାଉରକେଲା ୨୫/୩, ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ ରାଉରକେଲା ଗସ୍ତରେ ଆସି ଆଙ୍ଗନବାଡି କେନ୍ଦ୍ର ସହିତ ଛତୁଆ ତିଆରି କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଯାଇଛନ୍ତି। ଶ୍ରୀ ସାହୁ ପ୍ରଥମେ ପ୍ଲାଣ୍ଟସାଇଟ୍ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ସହ କୁନି ପିଲାମାନଙ୍କ ସହିତ କଥା ହେବା ଏବଂ ବ୍ୟବସ୍ଥାର ତଦାରଖ କରିଥିଲେ। ଏଥିସହିତ ଆଚାର୍ଯ୍ୟ ହରିହର ବିଦ୍ୟାଳୟର ପରିଦର୍ଶନ କରିଥିଲେ ଏବଂ ମଧ୍ୟାହ୍ନ ଭୋଜନର ମାନକ ଯାଞ୍ଚ କରିଥିଲେ। ଏହା ବ୍ୟତୀତ ଛାତ୍ରଛାତ୍ରୀ,ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ରୁପୁଟୋଲା ସ୍ଥିତ ଛତୁଆ ପ୍ରସ୍ତୁତି କେନ୍ଦ୍ର ମଧ୍ୟ ପରିଦର୍ଶନ କରିବା ସହ ଏହାର ପ୍ରସ୍ତୁତି ପ୍ରକ୍ରିୟା ଦେଖିଥିଲେ। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ l ଏହା ବ୍ଯତୀତ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଏକସମୀକ୍ଷା ବୈଠକ ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ପାନପୋଷ ଉପଖଣ୍ତର ବିଶ୍ରା , କୁଆରମୁଣ୍ଡା ବ୍ଳକ, ଲାଠିକଟା , ନୂଆଗା ବ୍ଲକର ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତୋଦୟ ଯୋଜନା , ରାସନ କାର୍ଡରେ ନୂତନ ହିତାଧିକାରୀ ସାମିଲ ହେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ସେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ରେସନ୍ କାର୍ଡରୁ ବାଦ ଦେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l
ସେହିପରି ଅନୁସୂଚିତ ଜାତିଜନଜାତିର ହଷ୍ଟେଲ ଆକାଂକ୍ଷା, ଅନ୍ତେବାସୀମାନଙ୍କର ବ୍ୟବସ୍ଥା , ବିଭିନ୍ନ ସ୍କୁଲରେ ଏମଟିଏମ ବ୍ୟବସ୍ଥାର, ଆଙ୍ଗନବାଡି କେନ୍ଦ୍ରର ବ୍ୟବସ୍ଥା ସମୀକ୍ଷା କରିଥିଲେ l ବୈଠକରେ ଉପଜିଲ୍ଲାପାଳ ବିଜୟ କୁମାର ନାୟକ , ଅତିରିକ୍ତ ଯୋଗାଣ ଅଧିକାରୀ ସୁନ୍ଦରଗଡ଼, ସଞ୍ଜୟ ପ୍ରକାଶ ପ୍ରଧାନ , ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କ ସହିତ ରାଉରକେଲା ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ୟୋତ୍ସ୍ନାରାଣୀ କର୍ଣ୍ଣ , ସହକାରୀ ଯୋଗାଣ ଅଧିକାରୀ, ପାନପୋଷ ସଂଜିତା ପଟ୍ଟନାୟକ, ଏସ୍ଏସ୍ଏସ୍ଓ ମିନୁ ତାଣ୍ଡିଆ ଏବଂ ସିଡିପିଓ ଉପସ୍ଥିତ ଥିଲେ।
ଏହି ଅବସରରେ ୪ ଜଣ ହିତାଧିକାରୀମାନଙ୍କୁ ନୂତନ ଓ୍ବିଲ ଚେୟାର ବଣ୍ଟନ କରାଯାଇଥିଲା।

