ରାଉରକେଲା ୨୬/୩,(ଉତ୍କଳ ସମାଚାର) ବିର୍ସା ଛକ ଠାରେ ଆଜି ସିଆଇଟିୟୁର ସାଧାରଣ ସମ୍ପାଦକ ବସନ୍ତ ନାୟକ ଏବଂ ଆରସିଡବ୍ଲୁୟୁର ସାଧାରଣ ସମ୍ପାଦକ ବିମାନ ମାଇତିଙ୍କ ନେତୃତ୍ୱରେ ତୁରନ୍ତ ଏନଜେସିଏସ୍ ଚୂକ୍ତିନାମା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ୧ଲକ୍ଷ ୧୦ ହଜାର କୋଟି ଟଙ୍କାର ଆର୍ଥିକ କାରବାର ସତ୍ତ୍ୱେ ଦୀର୍ଘ ୧୦ ବର୍ଷପରେ ମଧ୍ୟ ଏନଜେସିଏସ୍ ଚୂକ୍ତିନାମା ହୋଇପାରି ନାହିଁ ଏବଂ ୩୯ ମାସର ବକେୟା ପ୍ରଦାନ କରାଯାଇନାହିଁ। ଆଜିର ଏହି ବିକ୍ଷୋଭରେ ଶ୍ରୀମନ୍ତ ବେହେରା, ରନ୍ଧାକର ନାୟକ, ବି.ପି ମହାପାତ୍ର, ଯଜ୍ଞେଶ୍ବର ସାହୁ, ରାଜକିଶୋର ପ୍ରଧାନ, ଜୀବନ ବାରିହା, ଲକ୍ଷ୍ମୀଧର ନାୟକ, ଏନ.ଏନ. ପାଣିଗ୍ରାହୀ, ଅଜୟ ଶର୍ମା ଓ ଦିବାକର ମହାରଣା ପ୍ରମୁଖ ଏହି ବିକ୍ଷୋଭରେ ପ୍ରକାଶ କରିଥିଲେ ଯେ, ଏନଜେସିଏସ ବୈଠକରେ ଏସଇଏସବିଏଫ ପ୍ରସଙ୍ଗରେ ସହମତରେ ନିଷ୍ପତ୍ତି ନିଆଯିବା ସହ ସେଲ କର୍ମରୀଙ୍କ ୩୯ ମାସର ବକେୟା (ଏରିୟର) ପ୍ରଦାନ କରିବା ସହିତ ଏନଜେସିଏସ ଚୁକ୍ତିନାମା ତୁରନ୍ତ କରାଯାଉ, ସେଲ୍ର ଘରୋଇକରଣ ବନ୍ଦ କରାଯିବାକୁ ଦାବି କରାଯାଇଛି। ଏଥିସହିତ ଆଏସପିର ଶିକ୍ଷା, ସହରସେବା ଓ ଆଇଟିଏଚ୍ର ଘରୋଇକରଣ ଚକ୍ରାନ୍ତକୁ ବନ୍ଦ କରାଯାଉ, ଠିକା ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ସହ ଚାକିରୀର ସୁରକ୍ଷା ସୁନିଶ୍ଚତି କରାଯାଉ, ୨୦ ପ୍ରତିଶତ ଠିକା ଶ୍ରମିକ ଛଟେଇ ବନ୍ଦ କରିବା ସହିତ ଅନ୍ଯାନ୍ଯ ଦାବି କରିଥିଲେ । ସିଆଇଟିୟୁର ବିରୋଧ ସତ୍ତ୍ୱେ ସଂଖ୍ୟାଧିକ ଆଧାରରେ ଗତ ଫେବୃଆରୀ ୨ ତାରିଖରେ ଏସଇଏସବିଏଫ୍ ବୈଠକରେ ସମସ୍ତ ୟୁନିୟନ ଓ କର୍ତ୍ତୃପକ୍ଷ ଏସଇଏସବିଏଫ୍ ଫଣ୍ଡକୁ ଭଙ୍ଗକରି ସମସ୍ତ ଅର୍ଥକୁ ଏନପିଏସରେ ଜମା ପାଇଁ ନିଷ୍ପତ୍ତି ନିଆଯାଇଛି। ଦୀର୍ଘଦିନର ଆନ୍ଦୋଳନ ଓ ଦାବୀ କରି ୧୯୯୪ ମସିହାରେ ସେଲ୍, ଅଫିସର ସଂଘ ତଥା ଏନଜେସିଏସ୍ରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ଦ୍ୱାରା ଟ୍ରଷ୍ଟି ସହ ଏସଇଏବିଏଫ୍ କରାଯାଇଥିଲା । ଶ୍ରମିକମାନେ ବେସିକ୍ ଓ ଡିଏର ୨ ପ୍ରତିଶତ ତଥା ସେଲ୍ ପିଏଲ୍ବିଏସ୍ ନାମରେ ୨ ପ୍ରତିଶତ ପ୍ରଦାନ କରାଯାଇଥିଲା । ଏହାପରେ ଇପିଏସ୍ ୯୫ ପରେ ସେଲ୍ ୨ ପ୍ରତିଶତ ଅନୁଦାନ ବନ୍ଦ କରିଦେଇଥିଲା। ଏହା ସତ୍ତ୍ୱେ ବର୍ତ୍ତମାନ ଏସଇଏସବିଏଫ୍ ଫଣ୍ଡରେ ପ୍ରାୟ ଶ୍ରମିକଙ୍କ ହାରାହାରି ୧୦ଲକ୍ଷ ଟଙ୍କା ଅଛି । ଏଥିରେ ବାର୍ଷିକ ୮.୨୧ ପ୍ରତିଶତ ସୁଧ ମିଳିଥାଏ। ଅବସର ପରେ ଶ୍ରମିକମାନେ ତୃତୀୟ ଅବସରକାଳୀନ ଭତ୍ତା ହିସାବରେ ବିନା ଇନକମ୍ ଟ୍ୟାକ୍ସରେ ଏହା ପାଇପାରୁଛନ୍ତି । ଟ୍ରଷ୍ଟର ୧୮ ଧାରାର ଉପଧାରା (ବି) ଅନୁଯାୟୀ ସହମତି ବିନା ଟ୍ରଷ୍ଟ ଭଙ୍ଗ କରାଯାଇ ପାରିବନାହିଁ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସେଲ୍ କର୍ତ୍ତୃପକ୍ଷ ସଖି କଣ୍ଢେଇ ହୋଇ ଏହାକୁ ଜବରଦସ୍ତ ଶ୍ରମିକମାନଙ୍କ ଝାଳ ବୁହା ଧନକୁ ଏନପିଏସରେ ପ୍ରଦାନ କରିବେ । ଏହାଛଡା ସମସ୍ତ ପ୍ରକାର ଦ୍ବିପାକ୍ଷିକ ଚୂକ୍ତିନାମା ଓ ଆଇନଗତ ବ୍ୟବସ୍ଥାକୁ ଭଲଙ୍ଘନ କରି କର୍ତ୍ତୃପକ୍ଷଙ୍କ ହାତ ବାଲିସୀ ହୋଇ ଶ୍ରମିକ ସଂଗଠନମାନେ କାର୍ଯ୍ୟ କରୁଛନ୍ତି । ଏହାପରେ ଆଇଜିଏଚ୍ ଓ ଟାଉନସିପକୁ ଘରୋଇକରଣ କରାଯିବାର ମସୁଧା ରହିଛି। ପରବର୍ତ୍ତୀ ଅବସ୍ଥାରେ ବିନା ବାଧାରେ ଖଣି ଓ ଇସ୍ପାତ କାରଖାନାକୁ କର୍ପୋରେଟ ମାଲିକଙ୍କ ହାତରେ ପ୍ରଦାନ କରି ସେଲର ଅସ୍ଥିତ୍ବକୁ ଶେଷ କରିଦିଆଯିବ ବୋଲି ଏହି ବିକ୍ଷୋଭରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଆଜିର ବିକ୍ଷୋଭରେ ପ୍ରଦୋଶ ପରିଡା, ପ୍ରଭାତ୍ ମହାନ୍ତି, ପର୍ଶୁରାମ ଜେନା, ବିଶ୍ୱଜିତ୍ ମାଝୀ, ପିକେ ଶଡଙ୍ଗୀ, ଜେକେ ସାହୁ, ଅଶୋକ ଦାସ, ଚନ୍ଦ୍ରଭାନୁ ଦାସ, କୁଳମଣୀ ରାଉତ, କବି ପ୍ରଧାନ, ଅରୁଣ ମହାରଣା, ଜନ୍ମଜୟ ଘୋଷ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

