ସୁନ୍ଦରଗଡ଼, ୯/୪(ଉତ୍କଳ ସମାଚାର):: ରଘୁନାଥପାଲ୍ଲୀ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡର ନବନିଯୁକ୍ତ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲା ଯୋଜନା ବୋର୍ଡ କାର୍ଯ୍ୟାଳୟ ସୁନ୍ଦରଗଡ଼ରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଦଳର ବରିଷ୍ଠ ନେତା ଏବଂ କର୍ମୀଙ୍କ ଉପସ୍ଥିତିରେ ଦୁର୍ଗା ଚରଣ ତନ୍ତୀଙ୍କ ଦାୟିତ୍ବଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା।

ସୁନ୍ଦରଗଡ ଜିଲ୍ଲାରେ ସମର୍ପିତ ଏବଂ ଆନ୍ତରିକତାର ସହିତ ସର୍ବାଙ୍ଗୀନ ବିକାଶ, ଜନ କଲ୍ୟାଣ ଏବଂ ସୁଶାସନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ତନ୍ତୀ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ସମଲେଶ୍ୱରୀଙ୍କ ଅଶେଷ କୃପା ଓ ଆଶୀର୍ବାଦରେ ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କଲି। ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ଼ କାର୍ଯ୍ୟାଳୟରେ ଆୟୋଜିତ ଏହି ଦାୟିତ୍ୱ ଗ୍ରହଣ ଅନୁଷ୍ଠାନରେ ଦଳର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ଶୁଭ ମୁହୂର୍ତ୍ତର ସାକ୍ଷୀ ହେଲେ। ଏହି ଗୁରୁ ଦାୟିତ୍ୱ ଗ୍ରହଣ ଅବସରରେ ମୁଁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି ମାନ୍ୟବର ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ଦଳର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ଆମ ସାଂସଦ ତଥା ମାନନୀୟ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମହୋଦୟଙ୍କ ଅଦମ୍ୟ ବିଶ୍ୱାସ ଓ ଆଶୀର୍ବାଦ ମୋତେ ଏହି ପଦ ପାଇଁ ଯୋଗ୍ୟ ମନେ କରିଛନ୍ତି। ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା, ଶୁଭାନୁଧ୍ୟାୟୀ ଓ ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣଙ୍କ ଅକୁଣ୍ଠ ଭଲପାଇବା ଓ ସହଯୋଗ ହିଁ ମୋ ପାଇଁ ସର୍ବଶ୍ରେଷ୍ଠ ପ୍ରେରଣା। ମୁଁ ଦୃଢ ସଂକଳ୍ପ ନେଇ ଏହି ଦାୟିତ୍ୱ ଗ୍ରହଣ କରୁଛି ଯେ, ସୁନ୍ଦରଗଡ଼ ଜିଲ୍ଲାର ସର୍ବାଙ୍ଗୀଣ ବିକାଶ, ଜନ-କଲ୍ୟାଣ ଓ ସୁଶାସନ ନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ନିଷ୍ଠା ଓ ସମର୍ପଣ ସହ କାର୍ଯ୍ୟ କରିବି। ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଉନ୍ନତ ହେଉ , ଏହା ହିଁ ମୋ ଲକ୍ଷ୍ୟ ଓ ମୋ ସଂକଳ୍ପ।
