ନବରଙ୍ଗପୁର :୧୮-୦୪-୨୦୨୬:(ଉତ୍କଳ ସମାଚାର)ଶିଶୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ତଥା” ଶିଶୁଙ୍କ ପାଇଁ ଦିନଟିଏ ” ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ସି ଡି ଏମ ଓ ଡ଼ ମଳୟ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ , ଏ ଡି ପି ଏଚ ଓ ଡ଼ ମଳୟ କୁମାର ତ୍ରିପାଠୀ, ଡି ଏସ ପି, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସମସ୍ତ ସି ଡି ପି ଓ ମାନେ ତଥା ଆଂଗନ ଟ୍ରଷ୍ଟ ର ପ୍ରଭାସିନୀ ପଟନାୟକ, ଆଭା, ଶୋଭା, ପିରାମଲ ଫାଉଂଡେସନ ର ସଦସ୍ୟ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଶିଶୁ ସୁରକ୍ଷା ସମ୍ପର୍କିତ ପରିସ୍ଥିତିର ସମୀକ୍ଷା କରି ବିଭିନ୍ନ ବିଭାଗ ଦ୍ୱାରା ଗ୍ରହୀତ ପଦକ୍ଷେପ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ୧୦୦ ଦିନିଆ “ବାଲ୍ୟ ବିବାହ ମୁକ୍ତ ଭାରତ” ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ୭୮୩ଟି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ସମାଜରେ ସଚେତନତା ବୃଦ୍ଧି କରାଯାଇଛି। ବାଲ୍ୟ ବିବାହ ବିରୋଧରେ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି, ଯେଉଁଠାରେ ଜାନୁଆରୀରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୧୫୪ଟି ବାଲ୍ୟ ବିବାହକୁ ବନ୍ଦ କରାଯାଇଛି। ଏହା ସହିତ, ଆଇନ ରୂପାୟନକୁ ଶକ୍ତିଶାଳୀ କରିବା ପାଇଁ ୫ଟି ଏଫ୍ ଆଇ ଆର୍ ପଞ୍ଜିକୃତ କରାଯାଇଛି, ଯାହା ଜିଲ୍ଲା ପ୍ରଶାସନର କଠୋର ମନୋଭାବକୁ ପ୍ରକାଶ କରୁଛି।ଚାଇଲ୍ଡଲାଇନ୍ (୧୦୯୮) ମାଧ୍ୟମରେ ୨୦୦ ଟି ଶିଶୁ ସୁରକ୍ଷା ସମ୍ପର୍କିତ ଅଭିଯୋଗ ମିଳିଥିବାବେଳେ ସମସ୍ତ କେସରେ ତୁରନ୍ତ ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶିଶୁ ଶ୍ରମ ବିରୋଧରେ ମଧ୍ୟ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରି ୬୬ଟି କେସ ଚିହ୍ନଟ କରି ସମସ୍ତ ଶିଶୁଙ୍କୁ ଶିଶୁ କଲ୍ୟାଣ କମିଟି ସମ୍ମୁଖରେ ପ୍ରସ୍ତୁତ କରାଯାଇଛି ଏବଂ ଆବଶ୍ୟକ ସୁରକ୍ଷା ଓ ପୁନର୍ବାସନ ବ୍ୟବସ୍ଥା କରାଯାଇଛି।ବୈଠକରେ ଜିଲ୍ଲା ପାଳ ସମସ୍ତ ବିଭାଗକୁ କଠୋର ନିର୍ଦ୍ଦେଶ ଦେଇଥିଲେ ଯେ, ବାଲ୍ୟ ବିବାହ କିମ୍ବା ଶିଶୁ ଶ୍ରମ ଘଟଣା ଚିହ୍ନଟ ହେଲେ ପ୍ରଥମେ FIR ରେଜିଷ୍ଟର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏବଂ କୌଣସି ପ୍ରକାର ସାଲିସ କିମ୍ବା ବିଳମ୍ବ ସହିତ ମାନ୍ୟ ହେବ ନାହିଁ। ସେ ଆହୁରି ଜୋର ଦେଇ କହିଥିଲେ ଯେ, ଗ୍ରାମ ଓ ସ୍କୁଲ୍ ସ୍ତରରେ ପ୍ରାରମ୍ଭିକ ଚିହ୍ନଟ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା, ବିଭାଗୀୟ ସମନ୍ୱୟ ବୃଦ୍ଧି କରିବା ଓ ପ୍ରଭାବିତ ଶିଶୁମାନଙ୍କ ପାଇଁ ତୁରନ୍ତ ସହାୟତା ଓ ପୁନର୍ବାସନ ବ୍ୟବସ୍ଥା ସୁନିଶ୍ଚିତ କରିବା ଅତ୍ୟାବଶ୍ୟକ। ଜିଲ୍ଲା ପ୍ରଶାସନ ଶିଶୁମାନଙ୍କର ସୁରକ୍ଷା, ଅଧିକାର ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦୃଢ଼ ଏବଂ ସଂକଳ୍ପବଦ୍ଧ ଭାବେ କାମ କରୁଛି। ସର୍ବ ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହ୍ନର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

