ରାଉରକେଲା ୧୧/୫:(ଉତ୍କଳ ସମାଚାର) କଲୁଙ୍ଗା ଅଞ୍ଚଳର ଗୋଟିଧାର ପଥର ଖଣିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଗ୍ରାମବାସୀମାନେ ଖଣି ପରିଚାଳନା ଉପରେ ଘୋର ଅବହେଳାର ଅଭିଯୋଗ ଆଣିଛନ୍ତି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ସହିତ ଏଥିରେ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଅନୁସାରେ, ରାଉରକେଲା ପଥର କ୍ରସର ୟୁନିଟ୍ ପାଇଁ ହନୁମାନ କଡମା ଖଣିରେ ପଥର ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପଥର ଉତ୍ତୋଳନ ସମୟରେ, ହରମନ ଆଇନ୍ଦ ନାମକ ଜଣେ ସ୍ଥାନୀୟ ଶ୍ରମିକ ଗୁରୁତର ଭାବରେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (RGH)କୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଖବର ପ୍ରସାରିତ ହେବା ମାତ୍ରେ ବହୁ ସଂଖ୍ୟକ ଗ୍ରାମବାସୀ ଖଣି ସ୍ଥାନରେ ଏକାଠି ହୋଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏଥିସହିତ ଅଭିଯୋଗ କରିଥିଲେ ଯେ ଖଣିରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଛି। ସେମାନେ ଦାବି କରିଛନ୍ତି ଯେ, ଖଣି ପରିଚାଳନା କର୍ମଚାରୀଙ୍କ ମୌଳିକ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି। ଫଳରେ ଏହି ଦୁଃଖଦ ଜୀବନହାନି ଘଟିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାର ଶବାଗାରରେ ରଖାଯାଇଛି।

