ରାଉରକେଲା ୧୧/୫,(ଉତ୍କଳ ସମାଚାର) ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରବିବାର ରାତିରେ ୨ ଦିନିଆ ରାଉରକେଲା ଗ୍ରସ୍ଥରେ ଆସି ପହଞ୍ଚିଛନ୍ତି । ସେ ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାର ଉପବାଚସ୍ପତି ତଥା ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ମଧ୍ୟ ତାଙ୍କ ରଚିତ ପହଞ୍ଚିଥିଲେ । ଆଜି ସକାଳେ ମନ୍ତ୍ରୀ ମହୋଦୟ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ରାଉରକେଲା ହାଉସରେ ବୈଠକ କରିଥିଲେ । ତାଙ୍କୁ ଜିଲ୍ଲା ଓ ନେତ୍ରୁମଣ୍ଡଳୀ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ବୈଠକରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ରାଜ୍ୟ , ଜିଲ୍ଲା ଓ ମଣ୍ଡଳ ପଦାଧିଧାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କୁ ସହରର ବିବିଧ ଉନ୍ନୟନ କାର୍ଯ୍ୟ ପାଇଁ ଏକ ସ୍ୱାରକପତ୍ର ପ୍ରଦାନ କରିଥିଲେ । ଏହି ଅଞ୍ଚଳର ବାସିନ୍ଦାମାନେ ଦୀର୍ଘଦିନ ଧରି ବିଭିନ୍ନ ନାଗରିକ ଓ ସାର୍ବଜନିକ ସୁବିଧା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଉରକେଲା ଏକ ଶୀଘ୍ର ବିକାଶଶୀଳ ସହରାଞ୍ଚଳ ହେବାରୁ ସାଧାରଣ ଲୋକଙ୍କ ସୁବିଧା ଓ କଳ୍ୟାଣ ପାଇଁ ଉଚିତ ଭିତ୍ତିଭୂମି ଓ ସାର୍ବଜନିକ ସୁବିଧାର ଅତ୍ୟାବଶ୍ୟକତା ରହିଛି ବୋଲି ଉଲ୍ଲେଖ କରାଯାଇଛି । ନିମ୍ନଲିଖିତ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ହେଲା ଯାତାୟାତ ଜନିତ ଭିଡ଼ ଏବଂ ରାସ୍ତା ପାଖରେ ପାର୍କିଂ ସମସ୍ୟା କମାଇବା ପାଇଁ ଏକ ମଲ୍ଟିପାର୍କିଂ ନିର୍ମାଣ। ବାହାର ଅଞ୍ଚଳରୁ ଆସୁଥିବା ଅତିଥି ଓ ପର୍ଯ୍ୟଟକମାନଙ୍କର ରହିବା ସୁବିଧା ପାଇଁ ଏକ ଅତିଥି ଭବନ ସ୍ଥାପନ। ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ପ୍ରତିଯୋଗୀତାମୂଳକ ପରୀକ୍ଷା ପ୍ରାର୍ଥୀମାନଙ୍କ ପାଇଁ ଏକ ଆଧୁନିକ ଇ-ଲାଇବ୍ରେରୀ ସ୍ଥାପନ, ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ଉପକାର ପାଇଁ ଗୁରୁତ୍ୱପୂର୍ଣ୍ଣ ସାର୍ବଜନିକ ସ୍ଥାନଗୁଡ଼ିକରେ ପାନୀୟ ଜଳ ପଏଣ୍ଟ ସ୍ଥାପନ। ବର୍ଷା ଋତୁରେ ଜଳଜମା, ଅସ୍ୱଚ୍ଛ ପରିବେଶ ଏବଂ ରୋଗ ବ୍ୟାପନକୁ ରୋକିବା ପାଇଁ ଡ୍ରେନେଜ୍ ସମସ୍ୟାର ତୁରନ୍ତ ସମାଧାନ। ବିନୋଦନ, ଶାରୀରିକ ସୁସ୍ଥତା ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା କାର୍ଯ୍ୟକଳାପ ପ୍ରୋତ୍ସାହନ ପାଇଁ ପାର୍କ ଓ ଷ୍ଟାଡିୟମ୍ର ଯଥୋଚିତ ରକ୍ଷଣାବେକ୍ଷଣ ଓ ଏହି ସୁବିଧାଗୁଡ଼ିକ ଏହି ଅଞ୍ଚଳର ଜୀବନମାନ, ପରିଷ୍କାରତା, ସହର ପରିଚାଳନା ଏବଂ ସମଗ୍ର ଉନ୍ନତିରେ ବହୁତ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରାଯାଇଛି। ଏହି ପ୍ରତିନିଧି ମଣ୍ଡଳରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ସହିତ ଜିଲ୍ଲା ଉପସଭାପତି ସତ୍ୟ ସାହୁ, ସାଧାରଣ ସମ୍ପାଦକ ରଞ୍ଜିତ୍ ନାୟକ, ସମ୍ପାଦକ ପ୍ରଣତାପ ଦାସ, ସମ୍ପାଦିକା ନମ୍ରତା ବାଗ, କାର୍ଯ୍ୟାଳୟ ସମ୍ପାଦିକା ଜ୍ଯୋତି ମଞ୍ଜରୀ ଷଡ଼ଙ୍ଗୀ, ରାଜ୍ୟ ଅଳ୍ପ ସଂଖକ୍ୟ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

