ସମ୍ବଲପୁର,23//5,(ଉତ୍କଳ ସମାଚାର),(ସରୋଜ ସାହୁ):ଆସନ୍ତା ବର୍ଷା ଋତୁ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେରଖି ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ କୁମୁଦିନୀ ନାୟକ, ସମ୍ବଲପୁର ବିଧାୟକ ଙ୍କ ପ୍ରତିନିଧି ସମୀର ରଞ୍ଜନ ବାବୁ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ), ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ କୁମାର ଭୋଇ(ଓ.ପ୍ର.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ କ୍ଷତ୍ରି (ଭା.ପ୍ର.ସେ), ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ସମସ୍ତ ଦୁର୍ବଳ ନଦୀ ବନ୍ଧ ଓ ଘାଇ ଶୀଘ୍ର ଚିହ୍ନଟ କରି ମରାମତି, କେନାଲ ଓ ନାଳ ସଫେଇ ଡ୍ରେନେଜ ବ୍ୟବସ୍ଥାର ସଫେଇ, ବନ୍ୟାଜଳର ନିର୍ବିଘ୍ନ ପ୍ରବାହ, ୨୪ ଘଂଟିଆ କଂଟ୍ରୋଲ ରୁମ, ବର୍ଷା ପରିମାପ ଓ ଦୈନିକ ପରିସ୍ଥିତି ରିପୋର୍ଟ ପ୍ରେରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପାଣିପାଗ ସତର୍କବାଣୀ ଓ ବନ୍ୟା ବୁଲେଟିନ୍ ର ତ୍ୱରିତ ପ୍ରଚାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ବନ୍ୟାପ୍ରବଣ ଅଂଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ସହ ସୁରକ୍ଷିତ ପାନୀୟ ଜଳ, ସ୍ୱାସ୍ଥ୍ୟ, ପରିଛନତା, ପଶୁ ଚିକିତ୍ସା ଓ କୃଷି ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା । ବନ୍ୟା ଆଶ୍ରୟସ୍ଥଳ ଗୁଡିକ ପ୍ରସ୍ତୁତ ରଖିବା ସହିତ,ପାନୀୟ ଜଳ, ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉଦ୍ଧାର ଯୋଜନା, ରାସ୍ତା ଓ ପରିବହନ ବ୍ୟବସ୍ଥା ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଏଥିସହିତ ଓଡ୍ରାଫ, ଏନଡିଆରଏଫ ଓ ସୁରକ୍ଷା ବାହିନୀ ମୁତୟନ ପାଇଁ ପୂର୍ବ ପ୍ରସ୍ତୁତି ଏବଂ ବନ୍ୟା ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ପ୍ରଶିକ୍ଷିତ ରିଲିଫ ଟିମ ଗଠନ ଉପରେ ଆଲୋଚନା କରାଯାଇଥିଲା । ବିପର୍ଯ୍ୟୟ ସମୟରେ ବିଦ୍ୟୁତ, ଦୂରସଂଚାର, ସଡକ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବାର ଶୀଘ୍ର ପୁନଃସ୍ଥାପନ ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

