ରାଉରକେଲା:20//6,(ଉତ୍କଳ ସମାଚାର) ଶିଶୁ ଶ୍ରମିକ ନିରାକରଣ ପାଇଁ ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଆଜି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଶ୍ରମ ସଂସ୍ଥାପକଙ୍କ କାର୍ଯ୍ଯାଳୟ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଜୁନ୍ ୧୭ ତାରିଖରେ ବାହାରି ସହର ପରିକ୍ରମା କରିଥିଲାବେଳେ ଆଜି ଶିଶୁ ଶ୍ରମିକ ମୁକ୍ତ ଓଡିଶା ଆମର ସଂକଳ୍ପକୁ ନେଇ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଉଥିବା ବ୍ଯକ୍ତିଙ୍କୁ ସାବଧାନ କରାଇବା ପାଇଁ ଏହି ଉଚ୍ଚସ୍ତରୀୟ ସମ୍ମିଳନୀରେ ବିଭିନ୍ନ ବିଭାଗ ସହିତ ସମନ୍ଵୟ ରକ୍ଷା କରି କିପରି ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ କରାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।୧୪ ବର୍ଷରୁ କମ୍ ବୟସର ଶିଶୁକୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ! ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ (ବୃତ୍ତି ଓ ପ୍ରକ୍ରିୟା) ନିୟୋଜନକୁ ବାରଣ କରାଯାଉଛି। ଏପରି କାମ କରାଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ। କେବଳ ଜୋରିମାନା ନୁହେଁ, ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରେଙ୍କୁ ବୃତ୍ତି ପ୍ରକ୍ରିୟାରେ ନିୟୋଜନ କରୁଥିଲେ, ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ଏପରିକି ଉଭୟ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ । ଏପରି ଭୁଲ ତୃତୀୟ ଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରେ ବୋଲି ସ୍ଲୋଗାନ ଦିଆଯାଇଥିଲା। ୧୪ ବର୍ଷରୁ କମ୍ ଶିଶୁକୁ କୌଣସି କାର୍ଯ୍ୟରେ ନିୟୋଜନ କରିବା ଏବଂ ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜନ କରିବା ଏକ ଧର୍ତ୍ତବ୍ଯ ଅପରାଧ ବୋଲି ସ୍ଲୋଗାନ ଦିଆଯାଇଥିଲା। ଏହି ସମ୍ମିଳନୀରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ସମେତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ପୋଲିସ୍ ବିଭାଗର ଅଧିକାରୀ, ବିଭିନ୍ନ ଏନଜିଓ, ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ପ୍ରତିନିଧି ଏବଂ ଶ୍ରମିକ ସଙ୍ଗଠନର ନେତୃବୃନ୍ଦ ଯୋଗଦେଇ କହିଥିଲେ ଯେ କୌଣସି ବ୍ୟକ୍ତି ୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ କରିଛନ୍ତି ତେବେ ଅବିଳମ୍ବେ ନିଜ ଜିଲ୍ଲାର ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ଯେଉଁ ସ୍ଥାନରେ ଶିଶୁ ଶ୍ରମିକ କାମ କରୁଛନ୍ତି, ତୁରନ୍ତ ଶ୍ରମ ଅଧିକାରୀ, ଚାଇଲ୍ଡ ଲାଇନ ଏବଂ ପୋଲିସ୍ ବିଭାଗକୁ ଜଣାଇବା ସହିତ ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟ କରିଲେ ଶିଶୁ ଶ୍ରମ ମୁକ୍ତ ଓଡିଶା ସଂକଳ୍ପ ସହ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ହୋଇପାରିବ। ଆଜିର ସମ୍ମିଳନୀରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକଙ୍କ ସମେତ ଜିଲ୍ଲା ଶ୍ରମ ଅଧିକାରୀ, ସିଡବ୍ଲ୍ୟୁସି ଚେୟାରମ୍ଯାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଏବଂ ସୁନ୍ଦରଗଡ଼ ଡିସିପିଓ ମଞ୍ଚାସୀନ ଥିଲାବେଳେ ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସୂଚନା ଅଧିକାରୀ ସଂଜୀବ ଗୌତମ, ହିନ୍ଦ ମଜଦୁର ସଭାର ସମ୍ପାଦକ ଦିଗମ୍ବର ମହାନ୍ତି ଶିଶୁ ଶ୍ରମିକ ନିରାକରଣ ପାଇଁ ନିଜର ବକ୍ତବ୍ୟ ରଖିଥିଲେ।

