କେନ୍ଦୁଝର, ୨୦/୦୬:(ଉତ୍କଳ ସମାଚାର) ହାଟଡ଼ିହି ବ୍ଲକର କରଗୋଳା, ରତକଣା ଓ ହାବେଳେଶ୍ୱର ଏବଂ ଘଷିପୁରା ବ୍ଲକର ଅତ୍ତା ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ୍ ମାଧ୍ୟମରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଇଛି। ଉକ୍ତ ବନ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଏକ ମକଡ୍ରିଲ୍ ସହିତ କିପରି ଏହାକୁ କାର୍ଯ୍ୟରେ ଉପଯୋଗ କରାଯିବ, ତାହା ରେସ୍କ୍ୟୁ ଅପରେସନ୍ ଟିମ୍ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା।ବିପର୍ଯ୍ୟୟ ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଥିଲା। ବିଶେଷକରି ଶିଶୁ, ବୃଦ୍ଧ, ଅସହାୟ ମହିଳା, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କୁ ଗୁରୁତର ଭାବେ ସୁରକ୍ଷିତ ରଖିବା ସହ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେହିପରି ବିପର୍ଯ୍ୟୟ ପରେ କିପରି ସ୍ୱଚ୍ଛତା ଅବଲମ୍ବନ କରାଯିବ ଓ ଏହି ଅସହାୟ ଲୋକଙ୍କୁ ପ୍ରାଥମିକତା ଦିଆଯିବ, ସେ ସମ୍ପର୍କରେ ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ସ୍ୱେଚ୍ଛାସେବୀ ବାହିନୀର ସଦସ୍ୟ, ସ୍ଥାନୀୟ ଜନପ୍ରତିନିଧି, ମହିଳା ଗୋଷ୍ଠୀର ସଦସ୍ୟ ଓ ଯୁବ ଗୋଷ୍ଠୀ ସାମିଲ ହୋଇଥିଲେ।

