ସମ୍ବଲପୁର,୨୧/୦୬(ଉତ୍କଳ ସମାଚାର),(ସରୋଜ ସାହୁ):ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଯୋଗ ମହୋତ୍ସବ ସମିତିର ମିଳିତ ଆନୁକୂଲ୍ୟରେ ସମ୍ବଲପୁରର ରିଙ୍ଗ୍ ରୋଡ୍ ସ୍ଥିତ ମହାନଦୀ ଆଳତୀ ଘାଟଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ, ଯୋଗପ୍ରେମୀ ଏବଂ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଏହି ଗରିମାମୟ ପରିବେଶରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଆଇଜି, ଉତ୍ତରାଞ୍ଚଳ ହିମାଂଶୁ କୁମାର ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ ଏବଂ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ର କୁଳପତି ଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଜନସାଧାରଣଙ୍କୁ ଆନ୍ତର୍ଜାତୀୟ ଯୋଗ ଦିବସର ଅନେକ ଅନେକ ଅଭିନନ୍ଦନ ଜଣାଇବା ସହ ବିଶ୍ୱ ଦରବାରରେ ଭାରତର ସଂସ୍କୃତି ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ।

