ମୈଦଲପୁର, ପାପଡ଼ାହାଣ୍ଡି:2//7,(ଉତ୍କଳ ସମାଚାର)ବନ ମହୋତ୍ସବର ପ୍ରଥମ ଦିବସ ଅବସରରେ ପାପଡ଼ାହାଣ୍ଡି ବ୍ଲକର ସେମଳା କ୍ଲଷ୍ଟରର ସିଆରସିସି ତଥା ପ୍ରକୃତି ବନ୍ଧୁ ବାବୁଲାଲଙ୍କ ପ୍ରୟାସରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମୈଦଲପୁରଠାରେ ତୁଳସୀ ବୃକ୍ଷ ରୋପଣ, ତୁଳସୀ ପୂଜନ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ଗୁରୁତ୍ୱ, ପରିବେଶ ସନ୍ତୁଳନ ଏବଂ ସବୁଜ ପୃଥିବୀ ଗଠନରେ ପ୍ରତ୍ୟେକଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ ବୃକ୍ଷ ହେଉଛି ଜୀବନର ଆଧାର। ସେମାନେ ଅମ୍ଳଜାନ ଯୋଗାଇ ପରିବେଶକୁ ସନ୍ତୁଳିତ ରଖିବା ସହ ଜୀବଜଗତର ଅସ୍ତିତ୍ୱକୁ ସୁରକ୍ଷିତ କରନ୍ତି। ବିଶେଷକରି ତୁଳସୀ ଭାରତୀୟ ସଂସ୍କୃତିରେ ପବିତ୍ର ଉଦ୍ଭିଦ ଭାବେ ପରିଚିତ। ଏହାର ଔଷଧୀୟ ଗୁଣ ଅନେକ ରୋଗର ପ୍ରତିରୋଧରେ ସହାୟକ ହେବା ସହ ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବାରେ ମଧ୍ୟ ଉପକାରୀ।ପ୍ରକୃତି ବନ୍ଧୁ ବାବୁଲାଲ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରି କହିଥିଲେ, “ଶିଶୁଟିଏ – ବୃକ୍ଷଟିଏ” ସ୍ଲୋଗାନକୁ ସାର୍ଥକ କରିବା ପାଇଁ ପ୍ରତ୍ୟେକ ଶିଶୁ ଅତି କମରେ ଗୋଟିଏ ବୃକ୍ଷ ଲଗାଇ ତାହାର ଯତ୍ନ ନେବା ଉଚିତ। ଆଜିର ଶିଶୁ ଯଦି ଗୋଟିଏ ବୃକ୍ଷକୁ ସୁରକ୍ଷା କରିବ, ତେବେ ଆଗାମୀ ପିଢ଼ି ଏକ ସବୁଜ, ସୁସ୍ଥ ଓ ପ୍ରଦୂଷଣମୁକ୍ତ ପରିବେଶ ପାଇବ।କାର୍ଯ୍ୟକ୍ରମରେ ତୁଳସୀ ପୂଜନ ସହ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷାର ଶପଥ ନିଆଯାଇଥିଲା। ଉପସ୍ଥିତ ସମସ୍ତଙ୍କୁ ଅଧିକରୁ ଅଧିକ ବୃକ୍ଷ ରୋପଣ କରି ସେଗୁଡ଼ିକର ସୁରକ୍ଷା କରିବାକୁ ଆହ୍ୱାନ କରାଯାଇଥିଲା। ବନ ମହୋତ୍ସବ ଅବସରରେ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଥିଲା

