ନବରଙ୍ଗପୁର, ୦୨/୦୭/୨୬ ନରସିଂବାଘ (ଉତ୍କଳ ସମାଚାର ): ରାଜ୍ୟର ନୂତନ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଧବାର ଆହ୍ୱାନ କରାଯାଇଥିବା ୧୨ ଘଣ୍ଟିଆ ବନ୍ଦ ସମଗ୍ର ଜିଲ୍ଲାରେ ସଫଳ ହୋଇଛି। ବନ୍ଦ ପାଳନ ଯୋଗୁଁ ବିଭିନ୍ନ ସ୍ଥାନରେ ବଜାର, ଦୋକାନ ଓ ଯାନବାହନ ଚଳାଚଳ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା।କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଚଳିତ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ରହିଥିବା ସହିତ ଅନାବଶ୍ୟକ ବିଷୟବସ୍ତୁ ସ୍ଥାନ ପାଇଛି। ଏହାର ବିରୋଧରେ ପ୍ରତିବାଦ କରି କଂଗ୍ରେସ ଛାତ୍ରଛାତ୍ରୀଙ୍କୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇବା ସହିତ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।ଜିଲ୍ଲାର ରାଇଘର ବ୍ଲକ ସହିତ ଅନ୍ୟାନ୍ୟ ବ୍ଲକରେ କଂଗ୍ରେସ କର୍ମୀମାନେ ବନ୍ଦକୁ ସଫଳ କରିବା ପାଇଁ ପିକେଟିଂ କରିଥିଲେ। ରାଇଘରରେ ବ୍ଲକଙ୍କ ନେତୃତ୍ୱରେ ହନୁମାନ ମନ୍ଦିର ମୁଖ୍ୟଛକରେ କର୍ମୀମାନେ ଧରଣା ଦେଇଥିଲେ। ଫଳରେ ବଜାରର ଅଧିକାଂଶ ଦୋକାନ ବନ୍ଦ ରହିଥିବା ସହ କିଛି ସମୟ ପାଇଁ ଯାନଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଜିଲ୍ଲାର ୧୦ଟି ବ୍ଲକରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ପଞ୍ଚାୟତରେ ମଧ୍ୟ କଂଗ୍ରେସ କର୍ମୀମାନେ ସମର୍ଥନ ଜଣାଇଥିଲେ। ସମଗ୍ର ଜିଲ୍ଲାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବା ଖବର ମିଳିଛି।ଏହି ବନ୍ଦ ପାଳନକୁ କଂଗ୍ରେସ ଦଳର ଜିଲ୍ଲା ସଭାପତି ଲିପିଲା ମାଝୀ, ପୂର୍ବତନ ସଭାପତି ମୁନା ତ୍ରିପାଠୀ ଓ ଉମରକୋଟର କିସାନ ସେଲ ସଭାପତି ସଂରଜ ଗଣ୍ଡଙ୍କ ସହ ଅନ୍ୟାନ୍ୟ କର୍ମୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।

