ରାଉରକେଲା ୨/୭,(ଉତ୍କଳ ସମାଚାର) ଏକ ହେରୋଇନ୍ ଚୋରା ଚାଲାଣ ମାମଲାରେ ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ୨୦ ଗ୍ରାମ୍ ହେରୋଇନ୍ ଜବତ କରାଯାଇଛି । ପୋଲିସ୍ ପକ୍ଷରୁ ସୂଚନା ଅନୁସାରେ ଆଜି ଏସ୍ଆଇ ଉମେଶ କୁମାର ଆହିର ଥାନା କର୍ମଚାରୀଙ୍କ ସହିତ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଦିନ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଶ୍ରୀ ଆହିର ରାଉରକେଲା ରେଳବାଇ କଲୋନି ସ୍ଥିତ ବଡ଼ା ପାର୍କ ନିକଟରେ ଏକ ଅବକାରୀ ମାମଲା (NDPS) କେସ୍ ଚିହ୍ନଟ କରିଥିଲେ। ଅଭିଯୁକ୍ତ ଭାଗୀରଥି ମେହେର ବିନା ଲାଇସେନ୍ସ ଓ କାଗଜପତ୍ରରେ ଏକ ସ୍ୱୟଂ-ଲକ୍ ହୋଇଥିବା ସ୍ୱଚ୍ଛ ପଲିଥିନ୍ ପ୍ଯାକେଟରେ ୨୦ ଗ୍ରାମ ଚୋରା ହେରୋଇନ୍ ନେଇ ଯାଉଥିଲେ, ଯାହା ସ୍କୁଲ୍ ଏବଂ କଲେଜ୍ ପଢ଼ୁଥିବା ଛାତ୍ରଙ୍କ ସମେତ ସାଧାରଣ ଜନତାଙ୍କୁ ଆର୍ଥିକ ଲାଭ ପାଇଁ ବିକ୍ରୟ କରିବାକୁ ଉଦ୍ଦିଷ୍ଟ ଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାରେ ଗିରଫ ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଲାଇମେସର ଗ୍ରାମର ଭାଗୀରଥୀ ମେହେର (୩୨ ବର୍ଷ) ଏବଂ ବର୍ତ୍ତମାନ ଅଭିଯୁକ୍ତ ଶ୍ରୀ ମେହେର ଝାରସୁଗୁଡ଼ା ଜିଲ୍ଲା ଟାଉନ୍ ଥାନା ଅଧିନସ୍ଥ ବୁରୋମାଲ, ଶାନ୍ତି ନଗରରେ ରହୁଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ନିକଟରୁ ୨୦ ଗ୍ରାମ୍ କଣ୍ଟ୍ରାବଣ୍ଡ୍ ହିରୋଇନ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତ ଭାଗୀରଥୀ ମେହେରଙ୍କ ନାମରେ ପୂର୍ବରୁ ଝାରସୁଗୁଡ଼ା ପୁଲିସରେ ତିନୋଟି ମାମଲା ରହିଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ପ୍ଲାଣ୍ଟସାଇଟ୍ ଥାନା କେସ୍ ନମ୍ବର-୬୧୧/ତା ୦୨/୭/୨୦୨୬ ରିଖରେ ଏନଡିପିଏସ୍ ଆକ୍ଟର ୨୧(ଖ) ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

