ରାଇଘର,6//7,(ଉତ୍କଳ ସମାଚାର)ନରସିଂବାଘ (ଉତ୍କଳ ସମାଚାର ): ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ନାକଟିସିମଡ଼ା ଓ କୁସୁମପୁର ସଂରକ୍ଷିତ ଜଙ୍ଗଲକୁ କେନ୍ଦ୍ର କରି ଦୀର୍ଘଦିନ ଧରି ଚାଲିଆସୁଥିବା ବିବାଦ ପୁଣିଥରେ ଉଗ୍ର ରୂପ ଧାରଣ କରିଛି। କିଛି ଦିନ ପୂର୍ବରୁ ପ୍ରଶାସନିକ ସ୍ତରରେ ସମାଧାନ ହୋଇଥିବା ଏହି ବିବାଦ ଆଜି ପୁଣି ନୂଆ ମୋଡ଼ ନେଇ ହିଂସାତ୍ମକ ଘଟଣାକୁ ଜନ୍ମ ଦେଇଛି।ସୂଚନା ଅନୁଯାୟୀ, ବିବାଦୀୟ ଜଙ୍ଗଲ ଜମିରେ କିଛି ଲୋକ ଜବରଦଖଲ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିବାକୁ କେନ୍ଦ୍ର କରି ଆଜି ସକାଳ ପ୍ରାୟ ୧୦ଟା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କୁନ୍ଦେଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଶାସନ ଜାରି କରିଥିବା କଟକଣା ବିଷୟରେ ସ୍ଥାନୀୟଙ୍କୁ ସଚେତନ କରୁଥିବା ବେଳେ କୁସୁମପୁର ଗ୍ରାମର କିଛି ଲୋକଙ୍କ ସହ ବଚସା ହୋଇଥିଲା। ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ହିଂସାତ୍ମକ ରୂପ ନେଇଥିଲା।ବନ ବିଭାଗର ଅଭିଯୋଗ ଅନୁସାରେ, କିଛି ଲୋକଙ୍କ ଆକ୍ରମଣରେ ପାରାଗାର୍ଡ ଗଣେଶ ଗଣ୍ଡ ଓ ଖିଲେଶ କସରିଆ ଗୁରୁତର ଆହତ ହୋଇଥିଲେ। ଆହତ ଦୁଇଜଣଙ୍କୁ ତୁରନ୍ତ ରାଇଘର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଘଟଣା ସମୟରେ ବନ ବିଭାଗ, ସ୍ଥାନୀୟ ତହସିଲଦାର ଓ ରାଇଘର ପୁଲିସ ଉପସ୍ଥିତ ଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ପୁଲିସ ତତ୍କ୍ଷଣାତ୍ ହସ୍ତକ୍ଷେପ କରି ଭିଡ଼କୁ ଛତ୍ରଭଙ୍ଗ କରିଥିଲା।ଏହି ଘଟଣାରେ ନାକଟିସିମଡ଼ା ଗ୍ରାମର କିଛି ଲୋକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସେମାନେ ବର୍ତ୍ତମାନ ଯୋଡ଼ିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ଉଲ୍ଲେଖ୍ୟ, ବିବାଦୀୟ ଜମିର ସୀମା ନିର୍ଦ୍ଧାରଣ ପରେ ସେଠାରେ ଲଗାଯାଇଥିବା ତାରବାଡ଼କୁ କିଛି ଲୋକ ଭାଙ୍ଗି ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଅଭିଯୋଗ ରହିଛି। ଏହା ପରେ ବନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ BNSS ଧାରା ୧୬୩ ଲାଗୁ କରାଯାଇ ୬୦ ଦିନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ତଥାପି ଆଜି କିଛି ଲୋକ ଏହି କଟକଣାକୁ ଅମାନ୍ୟ କରି ଅଞ୍ଚଳରେ ପ୍ରବେଶ କରିଥିବାରୁ ପରିସ୍ଥିତି ଆରୋ ତିବ୍ର ହୋଇଥିଲା।ଏହି ଘଟଣା ସମ୍ବନ୍ଧରେ ରାଇଘର ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ଜଙ୍ଗଲ ବିବାଦ ପୁଣିଥରେ ମୁଣ୍ଡ ଟେକିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।
