ରାଉରକେଲା:24//7,(ଉତ୍କଳ ସମାଚାର) ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଘଟଣାରେ ପୋଲିସ ସଫଳତା ହାସଲ କରିଛି। ଏହି ମାମଲାରେ ପୋଲିସ ଗୁରୁବାର ୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ସୁନା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆନନ୍ଦ ଭବନ ଲେନ୍ର ଅମନ ଅଂସାରୀ (୨୩), ଜୁନୈଦ ଖାନ୍ (୨୧), ରେଳବାଇ କଲୋନୀ ରିମଝିମ ବସ୍ତିର ବିଶାଳ ସାହୁ (୨୧), ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡର କପିଲ ଦେବ ଶର୍ମା (୫୪) ଏବଂ ଜଣେ ନାବାଳକ। ପୋଲିସ ମାମଲା ନଂ–୭୩୨/୨୬ ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାବେଳେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଛି। ପୋଲିସ ସୂଚନା ଅନୁଯାୟୀ, ଗତ ୧୨ ତାରିଖ ରାତିରେ ଅଭିଯୁକ୍ତମାନେ ରାଉରକେଲା ଦରଘା ମହଲ୍ଲାର ବାସିନ୍ଦା ସମିମ ଅଖତାରଙ୍କ ଘରର ଝରକା ଭାଙ୍ଗି ଭିତରକୁ ପ୍ରବେଶ କରି ସୁନା ଅଳଙ୍କାର ଲୁଟ୍ କରିଥିଲେ। ଏନେଇ ସମିମ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ପ୍ରମାଣ ଏବଂ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କଠାରୁ ଚୋରି ହୋଇଥିବା ସୁନା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଜବତ କରାଯାଇଛି। ପ୍ଲାଣ୍ଟସାଇଟ୍ ଥାନାଧିକାରୀ ବିବତ୍ସ ପ୍ରଧାନ କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ଅମନ ଅଂସାରୀଙ୍କ ବିରୋଧରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ଏକ ଆପରାଧିକ ମାମଲା ଥିବାବେଳେ ବିଶାଳ ସାହୁଙ୍କ ନାମରେ ପ୍ଲାଣ୍ଟସାଇଟ୍ ଓ ଉଦିତନଗର ଥାନାରେ ଦୁଇଟି ଆପରାଧିକ ମାମଲା ରହିଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

