ନବରଙ୍ଗପୁର,:10//8,(ଉତ୍କଳ ସମାଚାର)ଜାମ୍ବଗୁଡ଼ା: ‘ହର ଘର ତ୍ରିରଙ୍ଗା-୨୦୨୬’ ଏବଂ ‘ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି’ ଅବସରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାମ୍ବଗୁଡ଼ାରେ ବିଭିନ୍ନ ଦେଶପ୍ରେମମୂଳକ ଓ ସୃଜନଶୀଳ କାର୍ଯ୍ୟକ୍ରମ ଆନନ୍ଦମୁଖର ପରିବେଶରେ ଆୟୋଜିତ ହୋଇଛି।ପ୍ରଧାନ ଶିକ୍ଷକ ବାବୁଲାଲଙ୍କ ନେତୃତ୍ୱ ଓ ପ୍ରେରଣାରେ ସହକାରୀ ଶିକ୍ଷକ ବିନୋଦ ଓ ରାମେଶ୍ଵରଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଦେଶପ୍ରେମମୂଳକ ଭାଷଣ, ରଚନା, ତ୍ରିରଙ୍ଗା ପତାକା ସହ ସ୍ଲୋଗାନ ଓ ରାଲି ଆୟୋଜନ କରାଯାଇଥିଲା।ଛାତ୍ରଛାତ୍ରୀମାନେ ଉତ୍ସାହର ସହ ତ୍ରିରଙ୍ଗା ପତାକା ଧରି ଦେଶପ୍ରେମମୂଳକ ସ୍ଲୋଗାନ ଦେଇ ରାଲିରେ ଅଂଶଗ୍ରହଣ କରିଥିଲେ। ଏଥିସହ ତ୍ରିରଙ୍ଗା ସେଲ୍ଫି ନେଇ ‘ହର ଘର ତ୍ରିରଙ୍ଗା’ ଅଭିଯାନ ସହ ନିଜକୁ ଯୋଡ଼ିଥିଲେ।ବିଦ୍ୟାଳୟ ପକ୍ଷରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସରକାରୀ ‘ତ୍ରିରଙ୍ଗା ଡଟ୍କମ୍’ ପୋର୍ଟାଲରେ ନାମ, ଫଟୋ ଓ ଠିକଣା ଆଦି ପ୍ରଦାନ କରି ଅଭିଯାନରେ ଅଂଶଗ୍ରହଣ କରିବା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ଅନଲାଇନ୍ରେ ମିଳୁଥିବା ସାର୍ଟିଫିକେଟ ଦେଖି ପିଲାମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମ ସମୟରେ ପିଲାମାନଙ୍କ ମୁଖରୁ ଶୁଣିବାକୁ ମିଳିଥିଲା—“ଆମ ପ୍ରଧାନ ଶିକ୍ଷକ ବାବୁଲାଲ ସାର୍ ଆମକୁ ଦେଶକୁ ଭଲ ପାଇବା, ତ୍ରିରଙ୍ଗାକୁ ସମ୍ମାନ କରିବା ଓ ଜଣେ ଭଲ ନାଗରିକ ହେବା ପାଇଁ ପ୍ରେରଣା ଦିଅନ୍ତି।”ପ୍ରଧାନ ଶିକ୍ଷକ ବାବୁଲାଲ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ କେବଳ ଉତ୍ସବ ପାଳନରେ ସୀମିତ ନ ରହି, ପିଲାମାନଙ୍କ ମନରେ ଦେଶପ୍ରେମ, ଜାତୀୟ ଏକତା, ଶୃଙ୍ଖଳା ଓ ଦାୟିତ୍ୱବୋଧ ବିକଶିତ କରିବାର ଏକ ମାଧ୍ୟମ ହେବା ଆବଶ୍ୟକ।ବିଦ୍ୟାଳୟର ଏହି ଅଭିନବ ପ୍ରୟାସ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ମହଲରେ ପ୍ରଶଂସା ପାଇଛି

