ରାଉରକେଲା ୨୩/୮,(ଉତ୍କଳ ସମାଚାର) ଆଜି ରାଉରକେଲା ରେଳ ସୁରକ୍ଷା ବଳ (ଆରପିଏଫ୍) ପକ୍ଷରୁ ଡଗ୍ ସ୍କାର୍ଡ କୁକୁର ମଣ୍ଟି ସାହାଯ୍ଯରେ ରାଉରକେଲା ରେଳ ଷ୍ଟେସନରେ ନିଶା ଦ୍ରବ୍ୟ ବିରୁଦ୍ଧରେ ସକାଳ ୯ଟା ସମୟରେ ଏକ ସ୍ବତନ୍ତ୍ର ଖାନତଲା କରାଯାଇଥିଲା। ଏହି ସମୟରେ ଆରପିଏଫ୍ ଟିମ୍ ଦୁଇ ଜଣଙ୍କୁ ପ୍ଲାଷ୍ଟିକ୍ ଜରି ବସ୍ତା ଧରି ରାଉରକେଲା ରେଳ ଷ୍ଟେସନର ପୋର୍ଟିକୋ ଅଞ୍ଚଳରେ ସନ୍ଦେହଜନକ ଭାବରେ ଗତି କରୁଥିବାର ଲକ୍ଷ୍ୟ କରିଥିଲେ। ସନ୍ଦେହଜନକ ଅବସ୍ଥାରେ ଆରପିଏଫ୍ ଟିମ୍ ସେମାନଙ୍କୁ ଅଟକାଇଥିଲା । ଯାଞ୍ଚ କାଳରେ ଦୁଇ ଅଭିଯୁକ୍ତ ମଧ୍ୟରେ ସୋନପୁର ଜିଲ୍ଲା ଯୁବରାଜପୁରର ଗୋବର୍ଦ୍ଧନ ଧଳ(୩୧) ଏବଂ ବୌଦ୍ଧ ଖଟଖଟିଆର ଆଶୁତୋଷ ମାହାନ୍ତି (୩୦) ଙ୍କୁ ଅଟକ ରଖି ତାଙ୍କ ପାଖରେ ଥିବା ପ୍ଲାଷ୍ଟିକ୍ ବସ୍ତା ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ମିଳିଥିଲା। ଅଟକ ଥିବା ଦୁଇ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ସେମାନେ ପ୍ରକାଶ କରିଥିଲେ ଯେ, ବୌଦ୍ଧରୁ ଗଞ୍ଜେଇ ଆଣି ଭୁସାୱାଲକୁ ପରିବହନ କରିବା ପାଇଁ ସେମାନେ ନେଉଥିଲେ। ଆରପିଏଫ୍ ଟିମ୍ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କ ସହିତ ୨ଟି ମୋବାଇଲ ଏବଂ ୧୪ କେଜି ଗଞ୍ଜେଇ (ଗଞ୍ଜେଇର ଆନୁମାନିକ ମୂଲ୍ଯ ୭ ଲକ୍ଷ ୮୦ ହଜାର ଟଙ୍କା) ଜବତ କରିବା ସହ ରାଉରକେଲା ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ। ରାଉରକେଲା ଅବକାରୀ ବିଭାଗ ଏନଡିପିଏସ୍ ଧାରା ୨୦(b)(ii) (B)ରେ ମାମଲା ରୁଜୁ କରି, କେସ୍ ନମ୍ବର-୧୪୪, ତା ୨୨-୮-୨୦୨୬ ରିଖରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

