ରାଉରକେଲା:24//8,(ଉତ୍କଳ ସମାଚାର) ସର୍କିଟ ହାଉସରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ଘଟଣାର ତଦନ୍ତ ଏକ ନୂତନ ମୋଡ଼ ନେଇଛି। ଏହି ମାମଲାରେ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ପୂର୍ବରୁ ୭ ଜଣଙ୍କୁ ଗିରଫ କରିଥିବା ବେଳେ, ପୋଲିସ ପକ୍ଷରୁ ଏବେ ଏହି ମାମଲାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁରଜ ଗୁପ୍ତା ଏବଂ ଆଦର୍ଶ ସାହୁ ବୋଲି ଚିହ୍ନଟ କରାଯାଇଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଏହି ତଦନ୍ତରେ ସୁନ୍ଦରଗଡ ସାଂସଦଙ୍କ ପ୍ରତିନିଧି ପ୍ରକାଶ ପାଶୱାନଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ପୋଲିସ ପ୍ରମାଣ ପାଇଛି ଯେ, ପ୍ରକାଶ ପାଶୱାନ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ପାଇଁ ସର୍କିଟ ହାଉସକୁ ଏକ ନିରାପଦ ଆଶ୍ରୟସ୍ଥଳରେ ପରିଣତ କରିବାରେ ସମ୍ପୃକ୍ତ ଥିଲେ। ତଦନ୍ତ ସମୟରେ, ପୋଲିସ୍ ପାଶୱାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଗାଡିର ମାଲିକ ମହମ୍ମଦ ମୋହିମଙ୍କ ସମେତ ଗୋପବନ୍ଧୁପାଲ୍ଲିର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ପୋଲିସର ସୂଚନା ଅନୁସାରେ ଗିରଫ ଅଭିଯୁକ୍ତମାନେ ନିଜର ସୁରକ୍ଷା ପାଇଁ ବାଲି ମାଫିଆ ଗୋଷ୍ଠୀଙ୍କ ଠାରୁ ଟଙ୍କା ସଂଗ୍ରହ କରିବାରେ ସମ୍ପୃକ୍ତ ଥିବା ଏବଂ ବିଭିନ୍ନ ସ୍ଥାନରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି। ତଦନ୍ତ ସମୟରେ ଗୋରୁ ଚାଲାଣରେ ସେମାନଙ୍କର ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି।ପୋଲିସ ବର୍ତ୍ତମାନ ପଳାତକ ପ୍ରକାଶ ପାସୱାନଙ୍କୁ ଖୋଜୁଛି। ତାଙ୍କୁ ଖୋଜିବା ଏବଂ ଗିରଫ କରିବା ପାଇଁ ସମଗ୍ର ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସ୍ ଦଳଙ୍କୁ ମୁତୟନ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ ଅଗଷ୍ଟ ୧୪ ତାରିଖ ବିଳମ୍ବିତ ରାତିର ଚଢାଉ ସମୟରେ ପ୍ରକାଶ ପାସୱାନ ରାଉରକେଲା ସର୍କିଟ ହାଉସରେ ଉପସ୍ଥିତ ଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ପୋଲିସ୍ ପକ୍ଷରୁ ତଦନ୍ତ ସମୟରେ ଜଣାପଡିଛି ଯେ, ଅଭିଯୁକ୍ତଙ୍କ ଆଶ୍ରୟସ୍ଥଳ ଭାବରେ ସର୍କିଟ ହାଉସକୁ କେଉଁ ପରିସ୍ଥିତିରେ ବ୍ୟବହାର କରାଯାଇଥିଲା ତାହା ମଧ୍ୟ ଯାଞ୍ଚ କରାଯାଉଛି।

