ରାଉରକେଲା ୭/୯,(ଉତ୍କଳ ସମାଚାର) ଜାତୀୟ ସ୍ତରରେ ପୁଣି ଚମକି ଉଠିଛି ରାଉରକେଲା ସ୍ମାର୍ଟ ସିଟି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ସ୍ଵଚ୍ଛ ବାୟୁ ସର୍ବେକ୍ଷଣରେ ରାଉରକେଲା ସହର ପ୍ରଥମ ହୋଇ ତିନୋଟି ପୁରସ୍କାର ହାସଲ କରିଛି। ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ପୂର୍ବକ “ସମସ୍ତଙ୍କ ପାଇଁ ସ୍ଵଚ୍ଛ ବାୟୁ” ସହ ନାଗରିକମାନଙ୍କ ମଧ୍ୟରେ ବାୟୁ ପ୍ରଦୂଷଣ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ “ଜାତୀୟ ସ୍ୱଚ୍ଛ ବାୟୁ” କାର୍ଯ୍ୟକ୍ରମ ଅଧୀନରେ ଏହି ସର୍ବେକ୍ଷଣ ଆୟୋଜନ କରାଯାଉଛି। ସମଗ୍ର ଦେଶରେ ୧୩୦ଟି ସହର ଏହି ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ବେଳେ ରାଉରକେଲା ସହର ଶ୍ରେଷ୍ଠ ପ୍ରଦର୍ଶନ ସହ ସର୍ବଭାରତୀୟ ସ୍ତରରେ ଗୌରବ ହାସଲ କରିଛି। ସ୍ଵଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ ଅଧିନରେ ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ରାଉରକେଲା ସହର ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିଭଳି ୧୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ୧୩ ନମ୍ବର ୱାର୍ଡ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ପୁଣିଥରେ ୧୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ୧୪ ନମ୍ବର ୱାର୍ଡ ରାଜ୍ୟସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। ସେପ୍ଟେମ୍ବର ୭ ତାରିଖ ସ୍ଵଚ୍ଛ ବାୟୁ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ପର୍ଯ୍ୟାବରଣ ଭବନର ଗଙ୍ଗା ଅଡିଟୋରିୟମ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ରାଉରକେଲାକୁ ସମ୍ବର୍ଦ୍ଧିତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ରାଉରକେଲା ସହର ଦେଶରେ ପ୍ରଥମ ସ୍ଥାନ ହାସଲ କରି ସମଗ୍ର ରାଜ୍ଯ ପାଇଁ ଗୌରବ ଆଣିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ମହାନଗର ନିଗମ ଆୟୁକ୍ତ ସମସ୍ତ ରାଉରକେଲା ଜନସାଧାରଣଙ୍କ ସହ ସହରକୁ ସ୍ଵଚ୍ଛ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସମସ୍ତ ସ୍ଵଚ୍ଛ କର୍ମୀଙ୍କୁ ଶୁଭକାମନା ଓ ଧନ୍ଯବାଦ ଜଣାଇଛନ୍ତି। ସହରର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଏଥିପାଇଁ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ ସହ ସେଗୁଡିକର ସୂଚାରୁ ରୂପେ ପରିଚାଳନା, ବହୁଦିନରୁ ପଡି ରହିଥିବା ପୁରୁଣା ବର୍ଜ୍ୟବସ୍ତୁର ବାୟୋ ମାଇନିଂ, ବାୟୋମାସ୍ ପେଲେଟ ପ୍ଲାଣ୍ଟ ସ୍ଥାପନ କରାଯାଇ ବର୍ଜ୍ୟବସ୍ତୁ ପୋଡ଼ିବାକୁ ରୋକା ଯାଉଛି । ସେପ୍ଟିକ ଟ୍ୟାଙ୍କ ପାଣି ଓ ଡ୍ରେନ୍ ପାଣିର ପ୍ରକ୍ରିୟାକରଣ କରାଯାଇ ପୁନଃ ବ୍ୟବହାର ଯୋଗ୍ୟ କରାଯିବା ପୂର୍ବକ ସେହି ପାଣିକୁ ନିୟମିତ ଭାବେ ସ୍ପ୍ରିଙ୍କଲର୍ ଯୋଗେ ଜଳ ସିଞ୍ଚନ କରାଯାଉଛି। ମେକାନିକାଲ ସ୍ବିପିଂ ମେସିନ୍ ଜରିଆରେ ରାତ୍ରିକାଳୀନ ସଫେଇ କରାଯାଇ ରାସ୍ତାରୁ ଧୂଳି ହ୍ରାସ କରାଯାଉଛି। ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁର ସଠିକ୍ ଭାବେ ପରିଚାଳନା କରାଯାଉଛି। ସହରର ୪ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ଏୟାର୍ ପ୍ୟୁରିଫାୟାର ସ୍ଥାପନ କରାଯାଇ ପିଏମ୍ ୨.୫ ଓ ପିଏମ୍ ୧୦ର ମାତ୍ରା ହ୍ରାସ କରାଯାଇ ନାଗରିକମାନଙ୍କ ପାଇଁ ସ୍ଵଚ୍ଛ ବାୟୁ ସୁନିଶ୍ଚିତ କରାଯାଉଛି। ଏହା ସହ ବିଭିନ୍ନ ସମୟରେ ବାୟୁ ପ୍ରଦୂଷଣ ରୋକିବା ଲାଗି ଜନସଚେତନତା ମଧ୍ୟ ସୃଷ୍ଟି କରାଯାଉଛି।

