ସମ୍ବଲପୁର,୦୯/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ପରିଶେଷରେ ସମ୍ବଲପୁର ପ୍ରେସ୍ କ୍ଲବ୍ ନିର୍ବାଚନ ସଂକ୍ରାନ୍ତ ମାମଲା ଅଦାଲତରେ ପହଞ୍ଚିଛି। କ୍ଷମତା ଅକ୍ତିଆର କରିବା ପାଇଁ ବେନିୟମ, ମନମୁଖି ଓ ଅନ୍ୟାୟପୂର୍ଣ୍ଣ ଭାବେ ଗତ ୧ ମାର୍ଚ୍ଚ ୨୦୨୬ରେ ନିର୍ବାଚନ କରାଯାଇଥିବା ନେଇ ସମ୍ବଲପୁର ସିଭିଲ୍ ଜଜ୍ ସିନିଅର ଡିଭିଜନଙ୍କ ଅଦାଲତରେ ମୋକଦ୍ଦମା ରୁଜୁ କରାଯାଇଛି। ଏଥିରେ ସମ୍ବଲପୁର ପ୍ରେସ୍ କ୍ଲବ ଏବଂ ଏହାର ସଭାପତି ତ୍ରିବିକ୍ରମ ପ୍ରଧାନ, ସଂପାଦକ ଭବାନୀଶଙ୍କର ଭୋଇ ଏବଂ ନିର୍ବାଚନ ଅଧିକାରୀ ଅଶୋକ ସେନାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ସମ୍ବଲପୁର ପ୍ରେସ୍ କ୍ଲବର ପୂର୍ବତନ ସଂପାଦକ ରାଜାରାମ ପାଢ଼ୀ, ପୂର୍ବତନ ସଭାପତି ଦୀପକ ପଣ୍ଡା, କ୍ଲବର ସଦସ୍ୟ ଫଣୀନ୍ଦ୍ର ପ୍ରଧାନ, ପ୍ରିୟରଂଜନ ସାହୁ, ଦାଶରଥି ବେହେରା, ସୁଧାଂଶୁ ଶେଖର ମହାରଣା ଏବଂ ରତ୍ନାକର ଭୋଇ ଏକ ୭ ପୃଷ୍ଠାର ଆବେଦନ ମାନ୍ୟବର ସମ୍ବଲପୁର ସିଭିଲ୍ ଜଜ୍ ସିନିଅର ଡିଭିଜନଙ୍କ ଅଦାଲତର ଦାଖଲ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁରେଶ୍ବର ମିଶ୍ର ମାମଲା ପରିଚାଲନା କରୁଛନ୍ତି। ଏହି ଆବେଦନରେ ଗତ ୧ ମାର୍ଚ୍ଚ ୨୦୨୬ରେ ଅନୁଷ୍ଠିତ ନିର୍ବାଚନକୁ ଅବୈଧ, ମନମୁଖି ଘୋଷଣା ସହିତ ଏହାକୁ ବାତିଲ କରିବା ଏବଂ ନିର୍ବାଚନକୁ କ୍ଲବ୍ର ସଦସ୍ୟମାନେ ମାନିବାକୁ ବାଧ୍ୟ ନୁହନ୍ତି ବୋଲି ଘୋଷଣା କରିବାକୁ ମାନ୍ୟବର ଅଦାଲତଙ୍କୁ ପ୍ରାର୍ଥନା କରାଯାଇଛି। ନିର୍ବାଚିତ ପଦାଧିକାରୀଙ୍କ ନିଜ ପଦରେ ରହିବାର କୌଣସି ଅଧିକାର ନଥିବା ଘୋଷଣା କରିବା, ପ୍ରେସ୍ କ୍ଲବର ବାଏ-ଲ’ ଅନୁଯାୟୀ ନୂଆକରି ଅଦାଲତଙ୍କ ତତ୍ତ୍ବାବଧାନରେ ଏବଂ କୋର୍ଟ କିମ୍ବା ଅଧିକୃତ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଯୁକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ନିର୍ବାଚନ କରାଇବାକୁ ପ୍ରର୍ଥନା କରାଯାଇଛି।ଆବେଦନରେ ଆହୁରି ଦର୍ଶାଯାଇଛି ଯେ, ସଭାପତି ତ୍ରିବିକ୍ରମ ପ୍ରଧାନ ଏବଂ ସଂପାଦକ ଭବାନୀଶଙ୍କର ପ୍ରଧାନ ଗତ ୨୦୧୮ ମସିହାରେ ନିର୍ବାଚିତ ହୋଇଥିଲେ। ସେମାନଙ୍କ ୨ ବର୍ଷର କାର୍ଯ୍ୟକାଳ ୨୦୨୦ ମସିହାରେ ସଂପୂର୍ଣ୍ଣ ହୋଇଥିଲେହେଁ ସେମାନେ ନିର୍ବାଚନ ନ କରାଇ ବେଆଇନ ଭାବେ ଆହୁରି ୬ ବର୍ଷ ୨୦୨୬ ମସିହା ପର୍ଯ୍ୟନ୍ତ ନିଜ ପଦରେ ରହିଥିଲେ। ପ୍ରେସ୍ କ୍ଲବର ସଦସ୍ୟମାନେ ଏହା ଉପରେ ବାରମ୍ବାର ଆପତ୍ତି ଉଠାଇବା ସହିତ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଦାବି କରିଥିଲେ। ଏହା ପରେ ଗତ ୨୨ ଫେବ୍ରୁଆରି ୨୦୨୬ରେ ସଭାପତି ଓ ସଂପାଦକ ତରବରିଆ ଭାବେ ନିର୍ବାଚନ ପାଇଁ ବୈଠକ ଡାକିଥିଲେ। କିନ୍ତୁ, ସଦସ୍ୟମାନଙ୍କ ଆପତ୍ତି,ଅଭିଯୋଗ ଓ ଦାବିକୁ ଅଣଦେଖା କରି ନିର୍ବାଚନକୁ ସେମାନେ ଟାଳି ଦେଇଥିଲେ। କେବଳ ସେତିକି ନୁହେଁ, ବେଆଇନ ଭାବେ ନୂଆ ସଦସ୍ୟ କରାଇବା ସହିତ ସେମାନଙ୍କୁ ଭୋଟର ତାଲିକାରେ ସାମିଲ କରାଇଥିଲେ। ଏପରିକି, ପ୍ରେସ୍ ସହିତ ସଂପୃକ୍ତ ନଥିବା କେତେକ ବ୍ୟକ୍ତି, କେତେକ ସଦସ୍ୟଙ୍କ ପତ୍ନୀଙ୍କୁ ମଧ୍ୟ ବେଆଇନ ଭାବେ ପ୍ରେସ୍ କ୍ଲବ୍ର ସଦସ୍ୟ କରାଯାଇଛି। ପ୍ରେସ୍ କ୍ଲବ ସଦସ୍ୟତା ହାସଲ ପାଇଁ ଯେଉଁ ପ୍ରକ୍ରିୟା ଅବଳମ୍ବନ କରିବା କଥା ତାହାର ମଧ୍ୟ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗକୁ ମଧ୍ୟ ଅଣଦେଖା କରାଯାଇ ନିର୍ବାଚନ କରାଯାଇଥିଲା। ଏପରିକି ନିରପେକ୍ଷ ନିର୍ବାଚନ ଅଧିକାରୀ ନିଯୁକ୍ତ କରାନଯାଇ କ୍ଷମତା ହାସଲରେ ସହଯୋଗ କରୁଥିବା ଭଳି ଜଣେ ଆଇନଜୀବୀଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଥିବା ଉକ୍ତ ଆବେଦନରେ ଦର୍ଶାଯାଇଛି।ମାନ୍ୟବର ସିଭିଲ ଜଜ୍ ସିନିୟର ଡିଭିଜନ ୧୬୧/ ୨୦୨୬ ରେ ଏହି ସୁଟକୁ ବିଚାର ପାଇଁ ଗ୍ରହଣ କରିବା ସହିତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ନିଜ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
